ନାଏପିଦା: ପଡ଼ୋଶୀ ମିଆଁମାରରେ ଏକ ଶରଣାର୍ଥୀ ଶିବିର ଉପରେ ଭୟଙ୍କର ବୋମା ମାଡ଼ ହୋଇଛି । ଏଥିରେ ମହିଳା ଏବଂ ଛୋଟ ଛୁଆଙ୍କ ସମେତ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଆକ୍ରମଣରେ ପାଖାପାଖି ୬୦ ଜଣ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଶରଣାର୍ଥୀ ଶିବିର କାଚିନ ରାଜ୍ୟର ଚୀନ ସୀମା ନିକଟରେ ଥିବାବେଳେ ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଛି । ତେବେ ମିଆଁମାର ସେନା ହିଁ ଏହି ତୋପ ମାଡ଼ କରିଥିବାର ସୂତ୍ରରୁ ସୂଚନା ମିଳିଛି । ତେବେ ୨୦୨୧ରେ ସେନା କ୍ଷମତା ଦଖଲ କରିବା ପରଠୁ ସାଧାରଣ ନାଗରିକଙ୍କ ଉପରେ ଏହା ସବୁଠୁ ଘାତକ ଆକ୍ରମଣ ମଧ୍ୟରୁ ଅନ୍ୟତମ ।
ମିଆଁମାରର ନ୍ୟାସନାଲ ୟୁନିଟ୍ ଗଭରମେଣ୍ଟ(NUG) ଏବଂ ୟାଙ୍ଗୋନରେ ଥିବା ବ୍ରିଟିଶ ଦୂତାବାସ ଏହି ତୋପମାଡ଼ ପାଇଁ ଦେଶର ସେନାକୁ ଦାୟୀ କରିଛନ୍ତି । ଏନ୍ୟୁଜି ମୁଖପାତ୍ର କହିଛନ୍ତି ଯେ, ମିଆଁମାର ସେନାର ଏପରି ଆକ୍ରମଣ ଯୁଦ୍ଧ ଅପରାଧ ତଥା ମାନବାଧିକାର ବିରୋଧରେ ଅପରାଧ ଅଟେ । ଚୀନ୍ ସୀମା ନିକଟରେ ଆକ୍ରମଣ ପଡ଼ୋଶୀ ରାଷ୍ଟ୍ରର ଶାନ୍ତି ଓ ସ୍ଥିରତା ପ୍ରତି ଦେଶର ଅସମ୍ମାନକୁ ଦର୍ଶାଉଛି । ବ୍ରିଟିଶ ଦୂତାବାସ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ମିଆଁମାର ଲୋକଙ୍କ ଉପରେ ସେନା ନିଜର କ୍ରୁରତା ଅଭିଯାନ ବନ୍ଦ କରିବା ଉଚିତ୍ ବୋଲି କହିଛି । ଅନ୍ୟପଟେ ସେନା ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଆକ୍ରମଣ ଘଟଣାର ତଦନ୍ତ ଚାଲିଛି । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ସେନା ସବୁବେଳେ ଗୁରୁତ୍ବ ଦେଇଆସିଛି ବୋଲି ଏହାର ମୁଖପାତ୍ର କହିଛନ୍ତି ।
ମିଡିଆ ରିପୋର୍ଟ ଅନୁସାରେ, ତୋପ ମାଡ଼ରେ ଆଖି ବୁଜିଥିବା ମୃତକଙ୍କ ମଧ୍ୟରେ ୧୩ ଜଣ ଛୁଆ ଏବଂ ମହିଳା ରହିଛନ୍ତି । କାଚିନ ଇଣ୍ଡିପେଣ୍ଡେସ ଆର୍ମି(KIA) ନିୟନ୍ତ୍ରଣରେ ଥିବା ଲାଇଜା ସହରର ଏକ ବେସ୍ଠାରୁ ୫ କିଲୋମିଟର ଦୂରରେ ସ୍ଥିତ ଶରଣାର୍ଥୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଛି । ଯିଏକି ବର୍ଷ ବର୍ଷ ହେଲା ମିଆଁମାର ସେନା ସହ ସଂଘର୍ଷ କରିଆସୁଛନ୍ତି । ଏହି ଆକ୍ରମଣକୁ ନାଗରିକଙ୍କ ଉପରେ କ୍ରୁରତା କହି ଏନୟୁଜି କଡ଼ା ନିନ୍ଦା କରିବା ସହ ମିଆଁମାର ଜେନେରାଲଙ୍କ ଉପରେ ମାମଲା ଚଲାଇବା ପାଇଁ ଦାବି କରିଛି ।