ଓ୍ବାସିଂଟନ ଡିସି: ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ । ଆତତାୟୀଙ୍କ ଗୁଳି ମାଡରେ 16 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50 ଜଣ ଆହତ ହୋଇଥିବା ସୂଚନା । ବୁଧବାର ରାତିରେ ଆମେରିକାର ବିଜନେସ ଲୁୱିଷ୍ଟନ୍ ମେନରେ ଏହି ଗୁଳିକାଣ୍ଡ ଘଟିଛି । କେଉଁ କାରଣରୁ ଗୁଳିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ପୋଲିସ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ, ଜଣେ ବ୍ୟକ୍ତି ଏହି ଗୁଳିକାଣ୍ଡ ଘଟାଇଥିଲେ । ଯିଏକି ମେନେଥରେ ଥିବା ଆମେରିକାର ଆର୍ମି ରିଜର୍ଭ ଟ୍ରେନିଂ ଫେଲିସିଟିରେ ବନ୍ଧୁକ ଚାଳକ ପ୍ରଶିକ୍ଷକ ଭାବରେ ତାଲିମ ଦେଉଥିଲେ । ତାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ସେ ଗ୍ରୀଷ୍ମ ଦିନରେ ଦୁଇ ସପ୍ତାହ ପାଇଁ ଚିକିତ୍ସାଧିନ ଥିଲେ । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଥିଲା ସେ ସମ୍ବନ୍ଧରେ କିଛି ଅବଗତ କରାଯାଇନଥିଲା । ସେ ପୂର୍ବରୁ ମେନ୍ର ସାକୋରେ ଥିବା ସାମରିକ ତାଲିମ ବେଶରେ ଗୁଳି ଚଳାଇବାର ଧମକ ଦେଇଥିଲା ।
ଲୁୱିଷ୍ଟନ୍ ପୋଲିସ୍ ଏକ ଫେସବୁକ୍ ପୋଷ୍ଟରେ କହିଥିଲା ଯେ, ଏକ ବୋଲିଂ ଆଲିରେ ଥିବା ସ୍କେମେଞ୍ଜସ୍ ବାର୍ , ଗ୍ରୀଲ୍ ଏବଂ ସ୍ପେୟାର ଟାଇମ୍ ରିକ୍ରିଏସନ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି । ଆଣ୍ଡ୍ରୋସ୍କୋଗିନ୍ କାଉଣ୍ଟି ସରିଫ୍ କାର୍ଯ୍ୟାଳୟ ଏହାର ଫେସବୁକ୍ ପୋଷ୍ଟରେ ସନ୍ଦିଗ୍ଧଙ୍କ ଦୁଇଟି ଫଟୋ ସେୟାର କରିଛି, ଯେଉଁଥିରେ ସୁଟର ହାତରେ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି । ଅଧିକାରୀମାନେ କହିଛନ୍ତି ଯେ ରାତି 7ଟା ପୂର୍ବରୁ ଗୁଳିକାଣ୍ଡ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- ଆମେରିକାର ଫ୍ଲୋରିଡାରେ ଆଖିବୁଜା ଗୁଳିମାଡ, ୩ କୃଷ୍ଣକାୟଙ୍କ ମୃତ୍ୟୁ
ଗତ ଅଗଷ୍ଟ 27 ତାରିଖରେ ଆମେରିକାର ଫ୍ଲୋରିଡାର ଜ୍ୟାକ୍ସନବିଲେରେ ଗୁଳିକାଣ୍ଡ ଘଟିଥିଲା । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣେ ବନ୍ଧୁକଧାରୀ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ଗୋଟିଏ ଡଲାର ଜେନେରାଲ ଷ୍ଟୋରରେ ପଶି ଏହି ଗୁଳିମାଡ କରିଥିଲା । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରିଦେଇଥିଲା । ଫଳରେ ଏଥିରେ ଅଭିଯୁକ୍ତ ସମେତ 4 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ତିନି ଦିନ ପୂର୍ବରୁ କାର୍ଲିଫର୍ଣ୍ଣିଆର ଗୋଟିଏ ବାରରେ ଗୁଳିକାଣ୍ଡ ଘଟିଥିଲା । ସ୍ତ୍ରୀ ସହ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ କରିବାରୁ 4 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- କାର୍ଲିଫର୍ଣ୍ଣିଆ ବାର୍ରେ ଗୁଳିମାଡ; ୫ ମୃତ, ୬ ଆହତ
ଏହା ମଧ୍ୟ ପଢନ୍ତୁ- Shooting in US: ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ଯୁବତୀ, ପ୍ରାଣ ହରାଇଥିଲେ 9 ଜଣ
ଗତ ଜୁନ 19 ତାରିଖରେ ଆମେରିକାରେ ଗୁଳିମାଡ ହୋଇଥିଲା । ଇଲିନୋଇସର ୱିଲିଓବ୍ରୋକ୍ରେ ଜୁନେଣ୍ଟେଣ୍ଟ ଉତ୍ସବରେ ଜଣେ ଦୁର୍ବୃତ୍ତ ଅତର୍କିତ ଗୁଳିବର୍ଷା କରିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁଳିକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ଆମେରିକାରେ ବନ୍ଧୁକ ରଖିବା ପ୍ରତି ସରକାରଙ୍କ କୋହଳ ମନୋଭାବ ଓ ଆତ୍ମରକ୍ଷା ପାଇଁ ଏହା ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ଗଣ ଗୁଳିକାଣ୍ଡ ଘଟଣା ଅସ୍ବାଭାବିକ ଭାବେ ବୃଦ୍ଧି ହେବାରେ ଲାଗିଛି। ସାମାନ୍ୟ ଘଟଣା ପାଇଁ ଫୁଟୁଛି ଗୁଳି । ଫଳରେ ଅକାରଣରେ ଯାଉଛି ଅନେକଙ୍କ ଜୀବନ ।