ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟକୁ ନେଇ ଗୁରୁବାର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଅଷ୍ଟ୍ରେଲିଆ ଓ ଡଚ୍ ସଂସଦକୁ ସମ୍ଭୋଧିତ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ସେ ଋଷ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ଉଭୟ ସଂସଦକୁ କହିଛନ୍ତି । ଫଳରେ ଏହା ଦ୍ବାରା ଋଷ ଅଧିକ ଚିନ୍ତାରେ ପଡିବା ସହ ଆର୍ଥିକ ସଙ୍କଟରେ ପଡିବ ବୋଲି ଜେଲେନ୍ସ୍କି ନିବେଦନ କରିଛନ୍ତି ।
ସେହିପରି ୨୦୧୪ରେ କ୍ରିମିଆ ଉପରେ ଋଷର ଆକ୍ରମଣକୁ ସାରା ବିଶ୍ବ ଯେମିତି ଦଣ୍ଡିତ କରିଥିଲେ, ସେହିଭଳି ଏଥର ମଧ୍ୟ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ କହିଛନ୍ତି । ଏହା ପରେ ଜେଲେନ୍ସ୍କି ଡଚ୍ ସଂସଦକୁ ସମ୍ବୋଧିତ କରି ରୁଷର ଶକ୍ତି ରପ୍ତାନିକୁ ରଦ୍ଦ କରିବାକୁ ନେଦରଲ୍ୟାଣ୍ଡକୁ ଅନୁରୋଧ କରିଥିଲେ । ଏଥିସହ ରୁଷର କଞ୍ଚାମାଲ ଯୋଗାଣ ପାଇଁ ୟୁରୋପ ମହାଦେଶର ପ୍ରତ୍ୟେକ ଦେଶର ଡଲାର ସିଧାସଳଖ ସାମରିକ ଶିଳ୍ପ ତଥା ୟୁକ୍ରେନ ନାଗରିକଙ୍କ ହତ୍ୟାକୁ ଯାଉଛି ବୋଲି ଜେଲେନ୍ସ୍କି କହିଛନ୍ତି ।
ସେହିଭଳି ଯୁଦ୍ଧର ପ୍ରଥମ ମାସ ଅପେକ୍ଷା ଆମକୁ ଅଧିକ କିଛି କରିବାକୁ ହେବ ବୋଲି ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି । ଏଥିସହ ଆମେ ଆଉ ୩୬ଦିନ ଅପେକ୍ଷା କରିପାରିବୁ ନାହିଁ ବୋଲି ସେ କହିବା ସହ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଆମେ ବଞ୍ଚିବାକୁ ଚାହୁଁଛୁ, ଅତ୍ୟାଚାରରୁ ମୁକ୍ତ ହୋଇ ରହିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ତୁର୍କିର ଇସ୍ତାନବୁଲରେ ହୋଇଥିବା ଶାନ୍ତି ବୈଠକରେ ଋଷ ଆକ୍ରମଣତ୍ମକ ଭାବନାକୁ ଟିକେ କୋହଳ କରିଥିବା ବେଳେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ କଥା ହେବା ନେଇ ଜଣା ପଡିଥିଲା । ଏପଟେ ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ଆଜି ୩୭ ଦିନ ପୂରଥିବା ବେଳେ ଏହି ମହାଯୁଦ୍ଧ ଥମିବାରେ ନାଁ ଧରୁନି । ଏଥିସହ ୟୁକ୍ରେନର ସାଧାରଣ ଲୋକଙ୍କୁ ଅବସ୍ଥା ଦିନକୁ ଦିନ ଜଟିଳ ହେବାର ଲାଗିଛି ।