ଇସଲାମବାଦ: ପାକିସ୍ତାନରେ ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ଲୋକ ଖାଇବା ପାଇଁ ଡହଳବିକଳ ହେଉଥିବା ନେଇ ଭିଡିଓ ସାମ୍ନାକୁ ଆସୁଛି । ଏହାରି ଭିତରେ ଅର୍ଥମନ୍ତ୍ରୀ ଇଶାକ ଦାର ଶୁକ୍ରବାର ଦିନ ଏକ ବୟାନ ଦେଇଛନ୍ତି । ପାକିସ୍ତାନରେ ଜାରି ରହିଥିବା ସଙ୍କଟକୁ ଆଲ୍ହା ଦୂର କରିବେ ବୋଲି ସେ କହିଛନ୍ତି ।
ସେ କହିଛନ୍ତି," ପାକିସ୍ତାନର ବିକାଶ ଓ ସମୃଦ୍ଧି ଦାୟିତ୍ବ ଆଲ୍ହାଙ୍କର । ପାକିସ୍ତାନର ଅଗ୍ରଗତି ଉପରେ ମୋର ସମ୍ପୁର୍ଣ୍ଣ ବିଶ୍ବାସ ରହିଛି । ଆହ୍ଲା ସବୁ ଦୂର କରିବେ । ମୋର ବିଶ୍ବାସ କରିବାର କାରଣ ହେଉଛି ପାକିସ୍ତାନ ଇସଲାମ ନାମରେ ଗଠନ ହୋଇଥିଲା । ଯଦି ଆଲ୍ହା ପାକିସ୍ତାନକୁ ତିଆରି କରିପାରନ୍ତି ତାହେଲେ ଏହାର ଅଗ୍ରଗତି ଏବଂ ବିକାଶ ମଧ୍ୟ କରିପାରିବେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ତତ୍ତ୍ବାବଧନରେ ଏକ ଟିମ୍ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପ୍ରୟାସ କରୁଛି । ନିର୍ବାଚନ ପୂର୍ବରୁ ହିଁ ଆମ ଦଳ ସ୍ଥିତିକୁ ଅନୁଧ୍ୟାନ କରିବା ସ୍ଥିତି ସୁଧାରିବା ପାଇଁ ଚେଷ୍ଟା ଚଳାଇଛି ।"
ଏହା ମଧ୍ୟ ପଢନ୍ତୁ: Tripura Assembly Election: ପାର୍ଥୀ ଘୋଷଣା କଲେ ବିଜେପି ଓ କଂଗ୍ରେସ
ଅନ୍ୟପଟେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରି କହିଛନ୍ତି, "୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଡ୍ରାମା ଯୋଗୁଁ ଆଜି ଯାଏଁ ଲୋକେ ଯନ୍ତ୍ରଣା ପାଉଛନ୍ତି । ୨୦୧୩ ରୁ ୨୦୧୭ ପର୍ଯ୍ୟନ୍ତ ନୱାଜ ସରିଫଙ୍କ କାର୍ଯ୍ୟକାଳ ସମୟରେ ପାକିସ୍ତାନର ଆର୍ଥିକ ସ୍ଥିତି ଭଲ ରହିଥିଲା । ଦେଶ କିଭଳି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ତାହା ୫ ବର୍ଷ ହେବ ଲୋକେ ଦେଖି ଆସୁଛନ୍ତି । ବର୍ତ୍ତମାନ କିଛି ଜରୁରୀ ଜିନିଷ କିଣିବା ପାଇଁ ମଧ୍ୟ ପାକିସ୍ତାନ ପାଖରେ କୌଣସି ମୁଦ୍ରା ନାହିଁ । ଏହି ସମସ୍ୟାର ମୁକାବିଲା ପାଇଁ ସେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମେତ ଆଉ କେତେକ ଅନୁଷ୍ଠାନରୁ ଏକ ଆର୍ଥିକ ପ୍ୟାକେଜ୍ ପାଇଁ ନିବେଦନ କରାଯାଇଛି ।"
ପ୍ରକାଶଥାଉକି, ଶୁକ୍ରବାର ଦିନ ଡଲାର ତୁଳନାରେ ପାକିସ୍ତାନର ଟଙ୍କାର ମୂଲ୍ୟ ୨.୭୩ ପ୍ରତିଶତ ହ୍ରାସ ପାଇଥିଲା । ବର୍ତ୍ତମାନ ଗୋଟିଏ ଡଲାରର ମୂଲ୍ୟ ପାକିସ୍ତାନୀ ଟଙ୍କାରେ 262.6 ଟଙ୍କା ହୋଇଛି ।
ପ୍ରକାଶଥାଉକି, ଗତ କିଛି ଦିନ ତଳେ ପାକିସ୍ତାନରେ ବିଜୁଳି ସଙ୍କଟ ମଧ୍ୟ ଦେଖାଦେଇଥିଲା । ଦେଶର ବଡ଼ବଡ଼ ସହର ଇସଲାମବାଦ, କରାଚି, ପେଶାୱର, ଲାହୋର, କ୍ବେଟାରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଦେଶର ପ୍ରାୟ ୨୨୦ ମିଲିୟନ ଲୋକେ ଦୁଇଦିନ ଅନ୍ଧାରରେ ରହିଥିଲେ । ପାକିସ୍ତାନରେ ନ୍ୟାସନାଲ ଗ୍ରୀଡ ଅଚଳ ହୋଇଯିବାରୁ ବିଦ୍ୟୁତ ଯୋଗାଣ ଠପ୍ ହୋଇଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ