କାଠମାଣ୍ଡୁ: ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି । ଭୂକମ୍ପରେ ଏବେ ସୁଦ୍ଧା 132 ଜଣଙ୍କ ମୃତ୍ୟୁ ହୋଇଛି । ବହୁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ।
ଶୁକ୍ରବାର ରାତି ୧୧ଟା ୪୭ ସମୟରେ ଭୂକମ୍ପ ହୋଇଥିଲା । ରାଜଧାନୀ କାଠମାଣ୍ଡୁ ଠାରୁ ୨୫୦ ମାଇଲ ଦୂର ଜାଜରକୋଟ ଜିଲ୍ଲାର ଲାମିଦାଣ୍ଡା ଅଞ୍ଚଳରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । କୁହାଯାଉଛି ଯେ, ଭୂକମ୍ପରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ରୁକୁମ ପଶ୍ଚିମ ଓ ଜାଜରକୋଟରେ ହୋଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଭୂମିକମ୍ପ ସମୟରେ ଲୋକମାନେ ଘରେ ଶୋଇଥିବାରୁ ବ୍ୟାପକ ପ୍ରାଣହାନି ଘଟିଛି । ବଡ ବଡ ଘରଦ୍ବାରା ଭୁଶୁଡି ପଡିବାରୁ ଧ୍ବଂସାବଶେଷ ତଳେ ଚାପି ହୋଇ ଲୋକମାନେ ପ୍ରାଣ ହରାଇଛନ୍ତି । ତେବେ ନେପାଳରେ ସଂଗଠିତ ଭୂମିକମ୍ପର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ରାଜ୍ୟରେ ଅନୁଭୂତ ହୋଇଛି ।
ଏହାମଧ୍ୟ ପଢନ୍ତୁ: Morocco Earthquake: ଭୟଙ୍କର ଭୂକମ୍ପରେ ସ୍ତବ୍ଧ ମରକ୍କୋ, ଗଲାଣି 28 ଶହରୁ ଅଧିକ ଜୀବନ
ପ୍ରାଥମିକ ପର୍ଯ୍ୟାୟରେ ଜଣେ ପୋଲିସ ଅଧିକାରୀ ନରଭାରାଜ ଭଟ୍ଟାରାଇ ଟେଲିଫୋନରେ ଦେଇଥିବା ସୂଚନା ଅନୁସାରେ, ଭୂମିକମ୍ପରେ ନେପାଳର ରୁକୁମ ଜିଲ୍ଲାରେ ଅତିକମରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ବହୁ ସଂଖ୍ୟକ ଘରଦ୍ବାର ନଷ୍ଟ ଭୁଶୁଡି ପଡିଛି । ୩୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଡୋଶୀ ଜାଜରକୋଟ ଜିଲ୍ଲାରେ ୩୪ ଜଣ ପ୍ରାଣ ହରାଇଛନ୍ତି । ହେଲେ ଏହି ମୃତ୍ୟୁସଂଖ୍ୟା ଏବେ 132କୁ ବୃଦ୍ଧି ପାଇଥିବା ସୂଚନା ହସ୍ତଗତ ହୋଇଛି ।
ଏହି ଭୟଙ୍କର ଭୂମିକମ୍ପ ନେଇ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଶୁକ୍ରବାର ରାତି ୧୧ଟା ୪୭ ମିନିଟରେ ଜଜାରକୋଟରେ ସଂଗଠିତ ଭୂମିକମ୍ପରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ନେଇ ଖୁବ୍ ଦୁଃଖିତ । ସମସ୍ତ ୩ ସୁରକ୍ଷା ଏଜେନ୍ସି ଗୁଡିକ ଆହତଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ତେବେ ନେପାଳର ପାହାଡି ଅଞ୍ଚଳରେ ଭୂମିକମ୍ପ ସାଧାରଣ କଥା । ୨୦୧୫ରେ ଏଠାରେ ୭.୮ ତୀବ୍ରତାର ସବୁଠୁ ବଡ ଧରଣର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।