ଇସଲାମବାଦ: ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟଣା ସାମ୍ନାକୁ ଆସୁଛି । ହେଲେ ଶୁକ୍ରବାର ହୋଇଥିବା ବିସ୍ଫୋରଣ ଥିଲା ଅତି ଭଯଙ୍କର । ପଞ୍ଜାବର ଡେରା ଗାଜିଖାନ ଜିଲ୍ଲା ସ୍ଥିତ ପାକ୍ର ସବୁଠୁ ବଡ଼ ନ୍ୟୁକ୍ଲିଆର ପ୍ଲାଣ୍ଟ ନିକଟରେ ବିସ୍ଫୋରଣ ଘଟିଛି । ତେବେ ବିସ୍ଫୋଟକ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଗତ 11 ବର୍ଷ ଧରି ପରମାଣୁ ପ୍ଲାଣ୍ଟ ଉପରେ ବୋମା ଫିଙ୍ଗିବା ଲାଗି ଧମକ ଆସୁଥିବା ଜଣାପଡ଼ିଛି ।
ଏହି ବିସ୍ଫୋରଣ ବାଲୋଚିସ୍ତାନ ଓ ଖୈବର ଠାରୁ 30-50 କିମି ଦୂରରେ ହୋଇଛି । ଏହି ବିସ୍ଫୋରଣ ପରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଛି । ପୋଲିସ ଯାନ ସହିତ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରିନାହିଁ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ 2012 ମସିହା ଠାରୁ ତେହରିକ-ଇ-ତାଲିବାନ-ପାକିସ୍ତାନ (TTP) ପରମାଣୁ ପ୍ଲାଣ୍ଟ ଉପରେ ବୋମା ଫିଙ୍ଗିବା ଲାଗି ଧମକ ଦେଇ ଆସୁଥିଲା ।
ଗତ ମାସରେ ବାଲୋଚିସ୍ତାନ ଓ ଖୈବାର ପାଖତୁନଖୱା ଠାରେ ଆତ୍ମଘାତୀ ବିସ୍ଫୋରଣ ପରେ ପୁଣି ପାକିସ୍ତାନରେ ଏପରି ବିସ୍ଫୋରଣ ଘଟିଛି । ଗତ ସେପ୍ଟେମ୍ବର 29ରେ ବାଲୋଚିସ୍ତାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ 130 ଜଣ ଆହତ ହୋଇଥିବା ବେଳେ 52 ଜଣଙ୍କର ଜୀବନ ଯାଇଥିଲା । ଏହି ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ରହିଥିଲେ । ଇଦ-ମିଲାଦ-ଉନ-ନବି ଅବସରରେ ମସଜିଦ ନିକଟରେ ଶହ ଶହ ଶ୍ରଦ୍ଧାଳୁ ପ୍ରାର୍ଥନା ଲାଗି ଉପସ୍ଥିତ ଥିବା ବେଳେ ଘଟିଥିଲା ବିସ୍ଫୋରଣ ।
ଏହା ବି ପଢନ୍ତୁ- Suicide Blast: ପାକିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ, 9 ଯବାନ ମୃତ
ସେହିପରି ପାକ୍ର ଖୈବର ପଖତୁନଖୱା ଅଞ୍ଚଳରେ ସେପ୍ଟେମ୍ବର 1 ତାରିଖରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଏଥିରେ ପାକିସ୍ତାନ ସେନାର ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ ହୋଇଥିଲେ । ରିପୋର୍ଟ ଅନୁସାରେ ମାଲି ଖେଲର ବନ୍ନୁ ଡିଭିଜନରେ ଅଗଷ୍ଟ 31ରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ମୋଟର ସାଇକେଲରେ ଆସି ସୁରକ୍ଷା ବାହିନୀର କନଭୟକୁ ଧକ୍କା ଦେବା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଫଳରେ ଅତିକମରେ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା ।