କାନବେରା: ଅଷ୍ଟ୍ରେଲିଆରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା । ଅଷ୍ଟ୍ରେଲିଆର ପର୍ଯ୍ୟଟନ ସ୍ଥଳୀ ଗୋଲ୍ଡ କୋଷ୍ଟ ଅଞ୍ଚଳରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଯୋଗୁଁ ବଡ଼ ଦୁର୍ଘଟଣା ଘଟିଛି (Helicopter Crash near Australian tourist hotspot) । ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତର ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୋମବାର ମଧ୍ୟାହ୍ନ ସମୟରେ କୁଇନ୍ସ ଲ୍ୟାଣ୍ଡ ପ୍ରଦେଶ ଅନ୍ତର୍ଗତ ଗୋଲ୍ଡ କୋଷ୍ଟର (Gold Coast) ଉତ୍ତର ବେଳାଭୂମି ନିକଟସ୍ଥ ସି ୱାର୍ଲ୍ଡ ଥିମ୍ ପାର୍କରେ ଏହି ଦୁର୍ଘଟଣା ଘଟିଛି ।
ଏହା ମଧ୍ୟ ପଢ଼ନ୍ତୁ: Year Ender 2022: ସରିଲା ବର୍ଷ, ସରିଲାନି ଯୁଦ୍ଧ, ଛାତିଥରା ଘଟଣା ପାଇଁ ଲୁହରେ ଭିଜିଲା ପୁରା ବିଶ୍ୱ
ଏକ ହେଲିକପ୍ଟର ଉଡ଼ାଣ ଭରୁଥିବା ବେଳେ ଅନ୍ୟଟି ଅବତରଣ କରୁଥିଲା । ଏହି ସମୟରେ ଉଭୟ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଅବତରଣ କରିଥିଲା । କିନ୍ତୁ ଅନ୍ୟଟି କ୍ଷତିଗ୍ରସ୍ତ ହୋଇଥିବା କୁଇନ୍ସ ଲ୍ୟାଣ୍ଡ ପୋଲିସ ସୂଚନା ଦେଇଛି । ମୃତାହତ ଯାତ୍ରୀମାନେ ଏହି ହେଲିକପ୍ଟରରେ ଥିଲେ । ହେଲିକପ୍ଟରଟି ଏତେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଯେ, ସେଥିରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ପୋଲିସ ପକ୍ଷେ କଷ୍ଟକର ହୋଇପଡ଼ିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: Unemployment in Pakistan: 1667 ପଦବୀ ପାଇଁ ପରୀକ୍ଷା ଦେଲେ 30 ହଜାର ଆଶାୟୀ
ଅନ୍ୟ ହେଲିକପ୍ଟରର ୱିଣ୍ଡ ସ୍କ୍ରିନ ଭାଙ୍ଗି ଯାଇଥିଲା । ଏଥିରେ ମଧ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ତେବେ ଉଭୟ ହେଲିକପ୍ଟରରେ 13 ଜଣ ଯାତ୍ରୀ ଥିବା କୁଇନ୍ସଲ୍ୟାଣ୍ଡ ଆମ୍ବୁଲାନ୍ସ ସେବା ପକ୍ଷରୁ କୁହାଯାଇଛି । ଏହି ଦୁର୍ଘଟଣା ଘଟିବା ପରେ ପୋଲିସ ସହାୟତାରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଆଖପାଖ ଅଞ୍ଚଳକୁ ଏହା ଶବ୍ଦ ଶୁଭିଥିଲା । ଏହି ଘଟଣାର ତଦନ୍ତ ଜାରି ରହିଥିବା କୁହାଯାଇଛି ।