ମନିଲା: ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ଫାଇଡେଲ ରାମୋସ (Fidel Ramos)ଙ୍କର 92 ବର୍ଷ ବୟସରେ ପରଲୋକ । ସେ କୋଭିଡରେ ସଂକ୍ରମିତ ହୋଇ ରାଜଧାନୀ ମନିଲାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଫିଲିଫାଇନ୍ସ ରାଷ୍ଟ୍ରପତି ଭବନ ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି । ସ୍ଥାନୀୟ ଗଣମାଧ୍ୟମ ମନିଲା ଟାଇମ୍ସର(Manila Times) ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଫାଇଡେଲ ରାମୋସଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟୁଥିଲା । ବୟସାଗତ କାରଣ ଯୋଗୁଁ ଆଜି ତାଙ୍କର ଦେହାନ୍ତ ହୋଇଛି ।
ସାମରିକ ପୃଷ୍ଠଭୂମିରୁ ଆସିଥିବା ଫାଇଡେଲ ରାମୋସ ରିପବ୍ଲିକ-ଅଫ-ଫିଲିପାଇନ୍ସର 12ତମ ରାଷ୍ଟ୍ରପତି ଭାବେ ଶାସନ ଭାର ସମ୍ଭାଳିଥିଲେ । 1992 ରୁ 98 ଯାଏ ସେ ଦେଶର ସର୍ବୋଚ୍ଚ ନେତୃତ୍ବ ନେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଫିଲିପାଇନ୍ସର ଅର୍ଥନୀତିର କ୍ରାନ୍ତି ଆସିଥିଲା । ସେ ଅନେକ ଅର୍ଥନୈତିକ ସୁଧାରମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥିଲେ । ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ସେନାଧିକାରୀ ଭାବେ ମଧ୍ୟ ଫିଲିପାଇନ୍ସ ସେନାରେ ସେବା ଯୋଗାଇଛନ୍ତି ।
ଜଣେ କମାଣ୍ଡର ଭାବେ ସମାରିକ କ୍ୟାରିୟର ଆରମ୍ଭ କରିଥିବା ଫାଇଡେଲ ରାମୋସ ପରବର୍ତ୍ତୀ ସମୟରେ ସେନା ଉପମୁଖ୍ୟ ଓ ସେନାମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ ଦେଶର ପ୍ରତିରକ୍ଷା ସଚିବ ମଧ୍ୟ ହୋଇଥିଲେ । ପରବର୍ତ୍ତୀ ସ୍ଥିିତିରେ ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ସହ ଦେଶର 12ତମ ରାଷ୍ଟ୍ରମୁଖ୍ୟ ମଧ୍ୟ ହୋଇଥିଲେ । ଆଜି ତାଙ୍କର ଦେହାନ୍ତ ଖବର ପାଇବା ପରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।