ଦମ୍ମାସକସ: ସିରିଆର ମିଲିଟାରୀ କଲେଜରେ ଡ୍ରୋନ୍ ଆକ୍ରମଣ । କଲେଜରେ ଗ୍ରାଜୁଏସନ ସେରିମନି ଚାଲିଥିବା ବେଳେ ଆକ୍ରମଣ ହେବାରୁ 80 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 240ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ସିରିଆ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା କାହାକୁବି ଦାୟୀ କରାଯାଇନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ହାସନ ଅଲ-ଗାବାଶ କହିଛନ୍ତି ଯେ, ନିହତମାନଙ୍କ ମଧ୍ୟରେ 6 ଜଣ ଶିଶୁ ଏବଂ ସେନାରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ଅଛନ୍ତି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି ।
ଏହା ମଧ୍ୟ ପଢନ୍ତୁ-Air strikes on Damascus: ସିରିଆରେ ଇସ୍ରାଇଲର ଏୟାରଷ୍ଟ୍ରାଇକ, ୫ମୃତ
ଏନେଇ ସିରିଆ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ବିସ୍ଫୋରକ ସାମଗ୍ରୀ ଥିବା ଏକ ଡ୍ରୋନ୍ ଗୁରୁବାର ଦିନ ମିଲିଟାରୀ କଲେଜ୍ର ଗ୍ରାଜୁଏସନ ସେରିମନିକୁ ଟାର୍ଗେଟ କରିଥିଲା । ଏକ ଜଣାଶୁଣା ଆତଙ୍କୀ ସଂଗଠନ ଦ୍ବାରା ଏହି ଆକ୍ରମଣ କରାଯାଇଛି । ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ଡ୍ରୋନ୍ ଆକ୍ରମଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମିଲିଟାରୀ କଲେଜର ଗ୍ରାଜୁଏସନ ସେରିମନିରେ ସିରିଆର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ କିନ୍ତୁ ଆକ୍ରମଣର କିଛି ମିନିଟ୍ ପୂର୍ବରୁ ସେ ସେଠାରୁ ଫେରି ଆସିଥିଲେ ।
ଜଣେ ପ୍ରତ୍ୟେକ୍ଷର୍ଶୀ କହିଛନ୍ତି ଯେ, ଗ୍ରାଜୁଏସନ ସେରିମନିରେ ବହୁ ଲୋକ ସାମିଲ ହୋଇଥିଲେ । ଏହା ଶେଷ ହେବା ପରେ ସମସ୍ତ ବାହାରେ ବୁଲାବୁଲି କରୁଥିଲେ। ହଠାତ୍ ଏକ ଡ୍ରୋନ ଆସି ବିସ୍ଫୋରଣ ହେବାରୁ ଚାରିଆଡ଼େ ଚିତ୍କାର ଶୁଣିବାକୁ ମିଳିଥିଲା । କଲେଜର ଚଟାଣରେ ମୃତଦେହ ଗୁଡିକ ବିଛେଇ ହୋଇପଡିଲା । ଏହି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା ।
ଗତ ଜୁଲାଇ ମାସରେ ସିରିଆର ରାଜଧାନୀ ଦମ୍ମାସକସର ଦକ୍ଷିଣରେ ଥିବା ସିୟା ମସଜିଦ ନିକଟରେ ବୋମା ବିସ୍ଫୋରଣ ହୋଇଥିଲା । ଏଥିରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଥିଲେ । ସେୟେଦା ଜାଇନାବ ସୌମସଲି ନିକଟରେ ସିୟା ମସଜିଦର ଟ୍ୟାକ୍ସି ନିକଟରେ ଏକ ବାଇକ୍ରେ ବୋମା ଖଞ୍ଜା ଯାଇଥିଲା । ଯାହା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆକ୍ରମଣ ପଛରେ ଆତଙ୍କୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିଲା । ଗତ ଫେବୃଆରୀରେ ସିରିଆରେ ଉପରେ ଆକ୍ରମଣ ହୋଇଥିଲା । ସିରିଆ ଉପରେ ମିସାଇଲ ମାଡ଼ କରିଥିଲା ଇସ୍ରାଏଲ । ଏଥରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ଜଣ ଆହତ ହୋଇଥିଲେ ।