ନୂଆଦିଲ୍ଲୀ: ପାକିସ୍ତାନରେ ଚୀନ ଇଞ୍ଜିନିୟର୍ସଙ୍କ ଉପରେ ଆତଙ୍କୀ ହମଲା ହୋଇଛି । ଏଥିରେ କେହି ଚୀନି ଇଞ୍ଜିନିୟର୍ସ କିମ୍ବା ନାଗରିକଙ୍କ ମୃତ୍ୟୁ ହୋଇନଥିବା ସୂଚନା ମିଳିଛି । ଦକ୍ଷିଣ-ପଶ୍ଚିମ ପାକିସ୍ଥାନର ଗ୍ୱାଦରରେ ଥିବା ଏକ ବନ୍ଦର ନିକଟରେ ଏହି ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣ ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ବିଚ୍ଛିନ୍ନତାବାଦୀ ଗୋଷ୍ଠୀର ଆତଙ୍କୀଙ୍କ ଦ୍ବାରା ହୋଇଥିବା ପାକିସ୍ତାନ ସୂତ୍ରରୁ ସୂଚନା ମିଳିଛି । ବେଜିଂ ଅନୁଦାନ ପ୍ରାପ୍ତ ଏହି ଗ୍ୱାଦର ବନ୍ଦରରେ ଗତକାଲି (ରବିବାର) ଚୀନର ଇଞ୍ଜିନିୟର୍ସଙ୍କ ଏକ କାଫିଲା ଉପରେ ଅତର୍କିତ ଗୁଳି ମାଡ ହୋଇଥିଲା । ଅନ୍ୟପଟେ 2 ଆତଙ୍କୀଙ୍କୁ ନିପାତ କରାଯାଇଥିବା ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସ୍ଥାନୀୟ ଗଣମାଧ୍ୟରେ ପ୍ରସାରିତ ସୂଚନା ଅନୁସାରେ, ପ୍ରାୟ 7ଟି ଗାଡିରେ 23ଜଣ ଚୀନି ଇଞ୍ଜିନିୟର ଯାଉଥିଲେ । ବେଲୁଚିସ୍ତାନ ଲିବରେସନ୍ ଆର୍ମି (ବିଏଲ୍ଏ) ଆତଙ୍କୀ ସଂଗଠନର ଆତଙ୍କବାଦୀମାନେ କନଭୟ ଉପରେ ଅତର୍କିତ ଗୁଳିମାଡ କରି ଫେରାର ହେବାକୁ ଚେଷ୍ଟା କରିଥିଲେ । ଏହି ପ୍ରସଙ୍ଗରେ ଚୀନ ଗଭୀର ଉଦବେଗ ପ୍ରକାଶ କରିବା ସହ ପାକିସ୍ତାନକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା । ପାକିସ୍ତାନ ସେନାର ପାଲଟା କାର୍ଯ୍ୟାନୁଷ୍ଠାନରେ 2 ଆତଙ୍କୀ ନିପାତ ହୋଇଥିବା ମଧ୍ୟ ପାକ ଗଣମାଧ୍ୟମ କହୁଛି । ସାମୟିକ ସମୟ ପାଇଁ ଉକ୍ତ ପୋର୍ଟରେ ସମସ୍ତ ଅପେରସନ ବନ୍ଦ ରଖାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ :- ପାକିସ୍ତାନରେ ରାଜନୈତିକ ସଭାରେ ବିସ୍ଫୋରଣ: 44 ମୃତ, 100ରୁ ଊର୍ଦ୍ଧ୍ବ ଆହତ
ଏହାପୂର୍ବରୁ ଗତମାସ (ଜୁଲାଇ) 31 ତାରିଖରେ ପାକିସ୍ତାନର ଏକ ରାଜନୈତିକ ସଭାରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରାୟ 50 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 100ରୁ ଊର୍ଦ୍ଧ୍ବ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଏକ ଇସଲାମୀୟ ରାଜନୈତିକ ଦଳର ସଭାସ୍ଥଳରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପଛରେ ଆତଙ୍କୀ ଲିଙ୍କ୍ ଥିବା ପାକିସ୍ତାନ କହିଥିଲା । ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କିଛି ଜଣାପଡିନଥିଲା ।
ଜାମିଆତ ଉଲେମା-ଏ-ଇସଲାମ-ଫୈଜଲ୍ (JUI-F) ନାମକ ଏକ ରାଜନୈତିକ ଦଳ ଦ୍ବାରା ଆୟୋଜିତ ଏହି ସମ୍ମିଳନୀରେ ବିସ୍ଫୋରଣ ଘଟିଥିଲା । ପାକିସ୍ତାନରେ ଅନେକ ସମୟରେ ଏପରି ଆତଙ୍କୀ ଆକ୍ରମଣ ଓ ବିସ୍ଫୋରଣ ହେବାର ନଜିର ରହିଛି । ଏପରିକି ବର୍ତ୍ତମାନ ସରକାରକୁ ତୀବ୍ର ବିରୋଧ କରୁଥିବା ଓ ଦୁର୍ନୀତି ମମଲାରେ ଜେଲ ଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଧ୍ୟ ଗୁଳି କରି ହତ୍ୟା ଉଦ୍ୟମ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ