ଓ୍ବାଶିଂଟନ: କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ରବିବାର ଠାରୁ ବିସ୍ପୋରକ ରୂପ ନେଇଛି । ଏହି ଭୟାବହ ଅଗ୍ନିକାଣ୍ଡ ଫଳରେ ଏକର ଏକର ଜଙ୍ଗଲ ପୋଡି ନଷ୍ଟ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଶୁକ୍ରବାର ଦିନ ପରଠାରୁ ୟୋସେମାଇଟ୍ ନ୍ୟାସନାଲ ପାର୍କ ନିକଟରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ ପାଇଁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୨୦୦୦ ଅଗ୍ନିଶମ ବାହିନୀ ସହ ୧୭ଟି ହେଲିକପ୍ଟର ନିୟୋଜିତ ହୋଇଛି । ଏନେଇ କାର୍ଲିଫର୍ଣ୍ଣିଆ ଜଙ୍ଗଲ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଗତ ଦୁଇଦିନ ମଧ୍ୟରେ ୧୪ ହଜାର ୨୦୦ ଏକରରେ ନିଆଁ ଲାଗି ଜଳିପୋଡି ପାଉଁଷ ହୋଇଛି । ତେବେ ତାପମାତ୍ରା ବୃଦ୍ଧି ଏହି ନିଆଁକୁ ବ୍ୟାପିବାରେ ଅଧିକ ସହାୟକ ହୋଇଛି । ଏନେଇ ସ୍ଥାନୀୟ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ଭୟଙ୍କର ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ୬୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ, ୧୦ରୁ ଉର୍ଦ୍ଧ୍ବ ଘର ଧ୍ୱଂସ ହୋଇଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କାର୍ଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ ନ୍ୟୁଶୋମ ମାରିପୋସା ଦେଶରେ ଜରୁରି ସ୍ଥିତି ଘୋଷଣା କରାଯାଇଛି ।
ତେବେ ଉଦ୍ଧାର କରାଯାଇଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, "ସେ ସେହି ସ୍ଥାନ ଛାଡିବା ସମୟରେ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିଲା । ଯେତେବେଳେ ପଛକୁ ବୁଲି ଦେଖିଲୁ ବହୁତ ଭୟାନକ ଥିଲା ଅଗ୍ନିକାଣ୍ଡ ।" ଗତ କିଛି ଧରି ମାରିପୋସା କାଉଣ୍ଟିରେ ତାପମାତ୍ରା ୩୫ ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଛି । ଫଳରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା ଏହି ସ୍ତରରେ ରହିବା ନେଇ ଆଶଙ୍କା କରାଯାଉଛି । ତାପମାତ୍ରା ହ୍ରାସ ପାଉନଥିବାରୁ ଏହାର ପ୍ରଭାବରେ ଜଙ୍ଗଲ ଜଳିବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ: ବ୍ରିଟେନରେ ରେକର୍ଡ ଭାଙ୍ଗିଲା ପାରଦ, ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ
ପ୍ରକାଶ ଯୋଗ୍ୟ ଯେ, ବ୍ରିଟେନ, ଆମେରିକା, ୟୁରୋପ ସମେତ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଭାଗରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ୟୁରୋପୀୟ ଦେଶ ଫ୍ରାନ୍ସ, ପର୍ତ୍ତୁଗାଲ, ସ୍ପେନ, ନେଦରଲ୍ୟାଣ୍ଡରେ ମଧ୍ୟ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ପର୍ତ୍ତୁଗାଲରେ ସର୍ବାଧିକ ୪୭ଡିଗ୍ରୀ ପାର କରିଛି ତାପମାତ୍ରା । ଫ୍ରାନ୍ସର ପର୍ଯ୍ୟଟନସ୍ଥଳୀ ଗିରୋଣ୍ଡରେ ଅସହ୍ୟ ହେଉଛି ତାପମାତ୍ରା । ଗ୍ରୀଷ୍ମ ପ୍ରଭାବ ହେତୁ ଜଙ୍ଗଲ ଜଳୁଛି । ୪୭ ହଜାର ଜଙ୍ଗଲ ଜଳିପୋଡି ପାଉଁଶ ହୋଇଯାଇଛି ।