ଡାମାସ୍କୋସ: ଦୀର୍ଘ ବର୍ଷ ହେଲା ମଧ୍ୟପ୍ରାଚ୍ୟ ଦେଶ ସିରିୟାରେ ଚାଲିଥିବା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍(ଆଇଏସ) ଏବେ ନିଜର ଅସ୍ତିତ୍ବ ହରାଇଛି। ଶେଷରେ ଏହାକୁ ଆଇଏସ ମୁକ୍ତ କରିଛି ଆମେରିକା ନେତୃତ୍ବାଧୀନ ମିଳିତ ବାହିନୀ । ସିରିୟାରୁ ଆଇଏସ ସାମ୍ରାଜ୍ୟର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିଛି ମିଳିତ ବାହିନୀ।
ଦୀର୍ଘ ସାଢେ ୪ ବର୍ଷ ଧରି ଏଠାରେ ଆମେରିକା ନେତୃତ୍ବରେ ସାମରିକ ଅପରେସନ ଚାଲିଥିଲା । ଧିରେ ଧିରେ ସିରିୟାରେ ଆଇଏସର ପ୍ରଭାବକୁ ଶେଷ କରିବା ସହ ଏହା କବଳରୁ ଗୋଟିଏ ପରେ ଗୋଟିଏ ସହର ମୁକ୍ତ କରିଥିଲା । ଶେଷରେ ଶନିବାର ଆଇଏସ ଦଖଲରେ ଥିବା ସିରିୟାର ଶେଷ ଗ୍ରାମକୁ ମିଳିତ ବାହିନୀ ନିଜ ଦଖଲକୁ ନେଇଥିଲା । ଫଳରେ ସିରିୟାରେ ଆଇଏସର ଅନ୍ତ ଘଟିଛି ଏବଂ ଏବେ ସେଠାରେ ନୂଆ ସମ୍ଭାବନା ଦେଖାଦେଇଛି ।
ସିରିୟା ସେନାର ପ୍ରବକ୍ତା କହିଛନ୍ତି ଯେ ଆଇଏସ କବଜାରୁ ସମସ୍ତ ଅଞ୍ଚଳ ମୁକ୍ତ ହୋଇଛି । ବର୍ତ୍ତମାନ ଆଇଏସର କୌଣସି ଆନୁଷ୍ଠାନିକ ଶିବିର, କମାଣ୍ଡ ସେଣ୍ଟର, ତାଲିମ କେନ୍ଦ୍ର ଏବଂ ଅସ୍ତ୍ରାଗାର କୌଣସି ଜାଗାରେ ମଧ୍ୟ ନାହିଁ । ଏପରିକି ଏମାନେ କୌଣସି ଅଞ୍ଚଳରେ ଆକ୍ରମଣ କରିବା ଭଳି ପରିସ୍ଥିତିରେ ନାହାନ୍ତି । କିନ୍ତୁ ସେମାନଙ୍କ ସ୍ଲିପର ସେଲ ବିଭିନ୍ନ ଅଞ୍ଚଳରେ ରହିଥିବାରୁ ଏହାପ୍ରତି ସତର୍କ ଦୃଷ୍ଟି ରଖିଛି ସେନା ।
ଶନିବାର ଆଇଏସ ଦଖଲରେ ଥିବା ସିରିୟାର ଶେଷ ଗ୍ରାମ ବାଗୁଜକୁ ମିଳିତ ବାହିନୀ ନିଜ ଅଧୀନକୁ ନେଇଥିଲା । ଏଠାରେ ଲୁଚି ରହିଥିବା ସମସ୍ତ ଆତଙ୍କବାଦୀ ନିପାତ ହୋଇଥିବାବେଳେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏବେ ଜେରା କରାଯାଉଛି । ଏହାସହ କ୍ଷତିଗ୍ରସ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଏହାଛଡା ଶତାଧିକ ଆଇଏସ ଆତଙ୍କବାଦୀ ପରାଜୟ ଆଶଙ୍କାରେ ମିଳିତ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ସିରିୟାରେ ଗୋଷ୍ଠୀ ସଙ୍ଘର୍ଷର ଫାଇଦା ଉଠାଇ ଏଠାକାର ସରକାରଙ୍କୁ ବିତାଡିତ କରିଥିଲା ଆଇଏସ । ଗତ କିଛି ବର୍ଷ ଧରି ଏହାର ଉତ୍ଥାନ ହୋଇଥିବାବେଳେ ସିରିୟାରେ ଏହା ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲା । ସେଠାରେ ଲୁଟ୍, ଗଣହତ୍ୟା, ଦୁଷ୍କର୍ମ ଭଳି ଅନେକ ଜଘନ୍ୟ କାର୍ଯ୍ୟରେ ଏହା ଲିପ୍ତ ରହିଥିଲା । ତେବେ ଆମେରିକା ନେତୃତ୍ବରେ ଏହି ମିଶନ ଜାନୁୟାରୀ 2015ରୁ ଆରମ୍ଭ ହୋଇଥିଲା । ଅକ୍ଟୋବର 2016ରେ ଏମାନଙ୍କୁ କିଛି ସଫଳତା ମିଳିଥିବାବେଳେ 2017 ଜୁଲାଇରେ ସେନା ଅଧିକାଂଶ ସହର ନିଜ ଦଖଲକୁ ନେଇଥିଲା । ଏହି ସମୟରେ ମୋସୁଲକୁ ଆଇଏସ ମୁକ୍ତ କରିବା ଏମାନଙ୍କ ପାଇଁ ଏକ ବଡ ସଫଳତା ଥିଲା ।