ୱେଲିଂଟନ: କୋଭିଡ-19 ସହ ମୁକାବିଲା ପାଇଁ ଢେର ଆଗରୁ ନ୍ୟୁଜିଲାଣ୍ଡରେ ଜାରି ହୋଇଥିଲା ଲକଡାଉନ । ଠପ ହୋଇଥିଲା ସାଧାରଣ ଜୀବନ ଯାତ୍ରା । ହେଲେ ଗତ ସପ୍ତାହେ ମଧ୍ୟରେ ଦେଶରେ କୋରୋନା ସଂକ୍ରମଣରେ ଲଗାମ ଲାଗିଥିବା ଦେଖାଯାଇଥିଛି । ଏନେଇ ଧିରେ ଧିରେ ଲକଡାଉନ ନିୟମ ସମ୍ପୂର୍ଣ୍ଣ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ଣ୍ଣ । ଆଗାମୀ 10 ଦିନରେ ଦେଶରେ ବନ୍ଦ ଥିବା ଅନ୍ୟାନ୍ୟ କ୍ଷେତ୍ର ଯଥା ସିନେମା ହଲ, ମଲ ଓ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି ।
ଦେଶରେ ସ୍କୁଲ, ବାର, ସପିଂ ମଲ ଓ ସିନେମା ହଲ ଆଦି ଖୋଲିବାର ନିଷ୍ପତ୍ତି ନିଆଯାଇଛି ସତ ହେଲେ ଏଠାରେ ସାମାଜିକ ଦୂରତା ନିୟମ ବଜାୟ ରହିବା ନେଇ କଡା ନିର୍ଦ୍ଦେଶ ରହିଛି । ରେସ୍ତୋରାଁ, କ୍ୟାଫେ ଓ ଜିମ ଆଦି ଏହି କ୍ରମରେ ମେ 14ରେ ଖୋଲିବା ନେଇ କୁହାଯାଇଛି । ତିନୋଟି ସ୍ତରରେ ଦେଶରେ ଲକଡାଉନ ନିୟମ କୋହଳ ହେବାକୁ ଥିବା ବେଳେ ବର୍ତ୍ତମାନ ଦ୍ବିତୀୟ ସ୍ତରକୁ ନେଇ ଆଲୋଚନା ଜାରି ରହିଛି । ଏନେଇ ଜାକିଣ୍ଡା କହିଛନ୍ତି କି ଦେଶ ବର୍ତ୍ତମାନ ନିଜ ଅର୍ଥନୀତିକୁ ପୁଣି ସୁଦୃଢ କରିବା ପାଇଁ ପ୍ରସ୍ତୁତ ଅଛି ।
ମେ 14, ଗୁରୁବାରଠାରୁ ଦେଶର ସମସ୍ତ ଜନସାଧାରଣ ସ୍ଥାନ ଓ ଛୋଟ ପିଲାଙ୍କ ପାଇଁ ପ୍ଲେଗ୍ରାଉଣ୍ଡ ଆଦି ଖୋଲାଯିବ । ଏହି କ୍ରମରେ ମେ 18ରୁ ପିଲାମାନେ ସ୍କୁଲ ଯାଇପାରିବେ । ଏହାର ତିନି ଦିନ ପରେ ଅର୍ଥାତ ମେ 21ରୁ ଦେଶର ସମସ୍ତ ବାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ସାରା ବିଶ୍ବରେ ଜାରି ହୋଇଥିବା ଲକଡାଉନ ମଧ୍ୟରେ ନ୍ୟୁଜିଲାଣ୍ଡରେ ସବୁଠାରୁ କଡା ନିୟମ ପାଳନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଦେଶରେ 1147 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 21ରେ ସ୍ଥିର ରହିଛି ।
ତେବେ ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ବଳକା ଲକଡାଉନ କଟକଣା କେବେ କୋହଳ କରିହେବ ତାହା ମନ୍ତ୍ରୀସ୍ତରୀୟ ବୈଠକରେ ଆଗାମୀ ଦୁଇ ଦିନରେ ଆଲୋଚନା ହେବ । ମାର୍ଚ୍ଚ 25ରୁ ସାରା ଦେଶରେ ଲକଡାଉନ ଜାରି ହୋଇଥିବା ବେଳେ ଏପ୍ରିଲ 28ରୁ ଧିରେ ଧିରେ କୋହଳ ହୋଇଛି କଟକଣା । ପ୍ରାୟ 5 ମିଲିୟନ ଲୋକଙ୍କ ବାସସ୍ଥାନ ନ୍ୟୁଜିଲାଣ୍ଡରୁ ଖୁବଶୀଘ୍ର କୋରୋନା ଭୂତାଣୁ ଦୂରାଇବ ବୋଲି ମତ ଦେଇଛନ୍ତି ପିଏମ ଆର୍ଡର୍ଣ୍ଣ ।
@IANS