ଜେରୁଜେଲମ: ଇସ୍ରାଏଲର ଦ୍ବିତୀୟ ବୃହତ୍ତମ ଏୟାରଲାଇନ ‘ଆର୍କିଆ’ ଦୁବାଇକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହେବା ନେଇ ଘୋଷଣା କରିଛି । ଏହି ସେବା ଆସନ୍ତା ଜାନୁଆରୀ 3 ତାରିଖରୁ ତେଲଆଭିଭ ସହରରୁ ଦୁବାଇକୁ ଆରମ୍ଭ ହେବା ନେଇ ଏୟାର ଲାଇନ ପକ୍ଷରୁ ସୂଚନା ଦିଆଯାଇଛି ।
ଇସ୍ରାଏଲର ଏକ ସ୍ଥାନୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଆରବ ଏମିରେଟ୍ସ (ୟୁଏଇ)କୁ ସିଧାସଳଖ ବାଣିଜ୍ୟିକ ବିମାନ ଉଡ଼ାଣ ପାଇଁ ଦୁ୍ଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଛି । କମ୍ପାନୀର କହିବାନୁସାରେ ଏକକ ଯାତ୍ରା ପାଇଁ ଟିକେଟର ମୁଲ୍ୟ 149 ଡଲାରରୁ ଆରମ୍ଭ ହେବ। ଏହି ସେବା ଫଳରେ ତେଲଆଭିଭ ସହରରୁ ଦୁବାଇକୁ ତିନିରୁ ଚାରି ଘଣ୍ଟା ମଧ୍ୟରେ ପହଞ୍ଚିବା ସମ୍ଭବ ହୋଇପାରିବ।
ଯାତ୍ରୀ ଓ ବିଭିନ୍ନ ସଂସ୍ଥା ତରଫରୁ ଏହି ବିମାନ ସେବା ଆରମ୍ଭ କରିବା ପାଇଁ ଆର୍କିଆ ଏୟାରଲାଇନସ କର୍ତ୍ତୃପକ୍ଷଙ୍କୁ ଏନେକ ଅନୁରୋଧ କରାଯିବା ପରେ କମ୍ପାନୀ ତରଫରୁ ଉଭୟ ସହର ମଧ୍ୟରେ ଏହି ବିମାନ ସେବା ଆରମ୍ଭ କରାଯାଉଥିବା ଆର୍କିଆ ଏୟାରଲାଇନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବେର୍ଲୋଉଚି କହିଛନ୍ତି ।
ସେହିପରି ଗତ ମଙ୍ଗଳବାର ଦୁବାଇର ଇତିହାଡ ଏୟାର ଲାଇନର ବିମାନ ଇଓ୍ବାଇ-9607 ପ୍ରଥମ ବାଣିଜ୍ୟିକ ବିମାନ ଭାବେ ଇସ୍ରାଏଲର ବେନଗୁରିୟମ ଆର୍ନ୍ତଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ