ନୂଆଦିଲ୍ଲୀ: ଯୁଦ୍ଧ-ଜୀବନ ମଧ୍ୟରେ ବଳି ପଡିଛି ପ୍ରେମ । ୟୁକ୍ରେନ ଉପରେ ଋଷର ଆକ୍ରମଣ ସମୟରେ ଆସିଲା ହୃଦୟ ଭାଙ୍ଗିଯିବା ପରି ଚିତ୍ର । କିଭ ମେଟ୍ରୋ ଷ୍ଟେସନରେ ଦୁଇ ପ୍ରେମୀ ଯୁଗଳଙ୍କ ଶାନ୍ତ ଭାବେ ଆଖିରେ ବାର୍ତ୍ତାଳାପର ଚିତ୍ର ଯେକୌଣସି କଠୋର ହୃଦୟକୁ ତରଳାଇ ଦେବ ନିଶ୍ଚିନ୍ତ ।
ଭୟର କୋଳାହଳ ଆଉ ଜୀବନର ଅନିଶ୍ଚିତତା ମଧ୍ୟରେ ଦୁହେଁ ଚାହିଁ ରହିଛନ୍ତି ଦୁହିଁଙ୍କ ଆଖିକୁ । ଏହି ସମୟର ଚିତ୍ର କଏଦ ହୋଇଛି କ୍ୟାମେରାର ଲେନ୍ସରେ । ଏହା ଅନ୍ତିମ ବିଦାୟ କି ଭବିଷ୍ୟତରେ ପୁଣି ସାକ୍ଷାତର ପ୍ରତିଶୃତି ତାହା ବଖାଣିବା କଷ୍ଟକର । ବାସ୍ ଏ କୋଳାହଳରେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଆଖିରେ ତୋଳି ରଖିଛନ୍ତି ଦୁହେଁ ।
ଆଜି ସକାଳ ଠାରୁ ୟୁକ୍ରେନରେ ଋଷ ଅତର୍କିତ ଆକ୍ରମଣ କରିଦେଇଛି । ଫଳରେ ଜୀବନ ବିକଳରେ ସୁରକ୍ଷା ପାଇଁ ସହରର ବିଭିନ୍ନ ଅଣ୍ଡର ଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନକୁ ସାହାରା କରିଛନ୍ତି ୟୁକ୍ରେନବାସୀ । କେଉଁଠି ମାଆ, ପୁଅକୁ ନେଇ ଦୌଡିବାର ଚିତ୍ର କଏଦ ହୋଇଛି ତ ଆଉ କେଉଁଠି ଅସହାୟ ହୋଇ ପରିବାର ବର୍ଗଙ୍କ ସହ ଯୋଗାଯୋଗ ପାଇଁ ବିବ୍ରତ ହେଉଛନ୍ତି ଯୁବତୀ । ଏସବୁ ଚିତ୍ର କ୍ୟାମେରା ଲେନ୍ସରେ କଏଦ ହୋଇଛି ।