ହାଇଦ୍ରାବାଦ: ଇସ୍ତଫା ଦେବେ ଇରାକ ପ୍ରଧାନମନ୍ତ୍ରୀ ଆଦେଲ ଅବଦୁଲ ମହଦି । ଶୁକ୍ରବାର ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ହୋଇଛି । ଖୁବଶିଘ୍ର ସେ ସଂସଦରେ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।
ଇରାକରେ ବର୍ତ୍ତମାନ ପରିସ୍ଥିତି ବିସ୍ଫୋରକ ରହିଛି । ଗତ 2 ମାସ ହେଲା ସରକାର ବିରୋଧରେ ଲୋକେ ବିକ୍ଷୋଭ କରୁଛନ୍ତି । ସରକାର ଦୁର୍ନୀତିଗ୍ରସ୍ତ ହୋଇଥିବାର ଅଭିଯୋଗ କରି ନୂଆ ସରକାର ଦାବିରେ ଲୋକେ ଆନ୍ଦୋଳନ କରୁଛନ୍ତି ।
ପୋଲିସ-ଜନତା ସଙ୍ଘର୍ଷ ଏତେ ଭୟଙ୍କର ହୋଇଛି ଯେ ଗତକାଲି (ଗୁରୁବାର) 44 ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ 1000 ଆହତ ହୋଇଛନ୍ତି । ଆଜି(ଶୁକ୍ରବାର) ରାଜଧାନୀ ବାଗଦାଦର ବିଭିନ୍ନ ପ୍ରାନ୍ତରୁ ଲୋକେ ଏକାଠି ହୋଇ ସରକାର ବିରୋଧରେ ବିକ୍ଷୋଭ କରିଥିଲେ ।
ତେବେ ଆନ୍ଦୋଳନକୁ ସ୍ଥଗିତ କରିବାରେ ବିଫଳତା ଯୋଗୁଁ ପ୍ରଧାନମନ୍ତ୍ରୀ ସମାଲୋଚନାର ଶିକାର ହୋଇଥିଲେ । ବିଭିନ୍ନ ଦଳରୁ ଚାପ ପଡିବା ପରେ ଶେଷରେ ଇସ୍ତଫା ଲାଗି ଆଦେଲ ନିଷ୍ପତ୍ତି ନେଇଛନ୍ତି । ଏପରିକି ଇସ୍ତଫା ପାଇଁ ବିଦେଶ ରାଷ୍ଟ୍ର ପକ୍ଷରୁ ମଧ୍ୟ ଇରାକ ସରକାର ଉପରେ ଚାପ ପଡିଥିଲା । ଜାତିସଙ୍ଘ ପକ୍ଷରୁ ମଧ୍ୟ ଇରାକ ପରିସ୍ଥିତି ଉପରେ ଦୁଃଖ ପ୍ରକାଶ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଏହି ଆନ୍ଦୋଳନ ଅତି ଭୟଙ୍କର ରୂପ ନେଇଛି । ପୋଲିସ ଗୁଳିରେ ପ୍ରାୟ 500 ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାରରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।