ଜେନେଭା: ସ୍ବିଜରଲ୍ୟାଣ୍ଡ କମ୍ପାନୀ ଲୋଗିଟେକ୍ ଜି ଏବଂ ଆସବାବପତ୍ର ଡିଜାଇନର ହର୍ମାନ ମିଲର ପକ୍ଷରୁ ବାହାର କରାଯାଇଛି ଏକ ଅତ୍ୟାଧୁନିକ ଗେମିଂ ଚେୟାର । ଏହା କେବଳ ଆପରେ ଗେମ୍ ଖେଲିବା ପାଇଁ ସ୍ବତନ୍ତ୍ର ଭାବେ ବ୍ୟବହାର ହେବ। ହେଲେ ଏହାକୁ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।
ଗତ ଫେବୃୟାରୀରେ ଏହା ସମ୍ପର୍କରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଗେମ ଲଭର୍ସଙ୍କ ପାଇଁ ଏପରି ନୂଆ ସୁବିଧା ଆଣିଛି ଲୋଗିଟେକ୍ । ଏହାର ନାମ ରହିଛି ଏମ୍ବୋଡି ଗେମିଂ ଚେୟାର । ତେବେ ଏହାର ଦାମ୍ ରହିଛି 1495 ଡଲାର । ଭାରତୀୟ ମୁଦ୍ରାରେ ଯାହାର ଅର୍ଥ ରହିଛି ପ୍ରାୟ 1 ଲକ୍ଷ 11 ହଜାର 986 ଟଙ୍କା । ଏହି ଗେମିଂ ଆପ୍ ଆପଣଙ୍କ ଶରୀରର ମେରୁଦଣ୍ଡ ଏବଂ ବସିବାର ଶୈଳୀ ସଠିକ୍ କରିଦେବ । ଆପଣ ଥରେ ବସିବା ପରେ ଏହା ଖେଳ ଅନୁସାରେ ଆପଣଙ୍କ ଓଜନକୁ ଉପଯୁକ୍ତ ଭାବେ ନିୟନ୍ତ୍ରଣ କରିବ ।
ଆପଣଙ୍କ ଗେମିଂ ସେସନରେ ଯେପରି ଆପଣ କୌଣସି ପ୍ରକାର ଓଜନ ବୃଦ୍ଧି ଅଥବା ଶାରୀରିକ ସମସ୍ୟାର ଶିକାର ନ ହୁଅନ୍ତି ସେଥିପ୍ରତି ଏହା ଧ୍ୟାନ ରଖିବ । ଏହି ଚେୟାର ଆପଣଙ୍କ ଶରୀରରୁ ବାରମ୍ବାର ଆକ୍ଟିଭ ରଖିବ । ଫଳରେ ଆପଣ ସକ୍ରିୟ ଓ ସତେଜ ରହିବେ । ରକ୍ତ ସଞ୍ଚାଳନ ସଠିକ୍ ଭାବେ ହେବାରେ ମଧ୍ୟ ଏହା ସାହାଯ୍ୟ କରିବ । ସେହିପରି ଆପଣଙ୍କ ମନ ଥଣ୍ଡା ରଖିବା ପାଇଁ ଚେୟାରର ପଛ ପାଖରେ ଏକ ଫୋମ୍ ରହିଛି । ଯାହା ଆପଣଙ୍କୁ କୌଣସି ପ୍ରକାର ଉତ୍ତେଜନାର ଶିକାର ହେବାକୁ ଦେବ ନାହିଁ ।
ନିର୍ମାଣକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ଚେୟାର ତିଆରିବେଳେ ଫିଜିସିଆନ ଏବଂ ଡାକ୍ତରଙ୍କ ପାଖରୁ ବିଭିନ୍ନ ପରାମର୍ଶ ନିଆଯାଇଥିଲା । ଏଥିରେ ବସିଲେ ଆପଣଙ୍କ ହାର୍ଟ ରେଟର ମାତ୍ରା କମ ରହିବ ଏବଂ ରକ୍ତ ସଞ୍ଚାଳନ ଠିକ୍ ହେବ । ଏହା 12 ବର୍ଷର ୱାରେଣ୍ଟି ପ୍ରଦାନ କରୁଛି । ଏହା ସହିତ ତିନି ପ୍ରକାର ଗେମିଂ ଡେସ୍କ ମଧ୍ୟ ମିଳିବ ବୋଲି ଲୋଗିଟେକ୍ ଜି ପ୍ରକାଶ କରିଛି ।