ଲଣ୍ଡନ: ଅଗଷ୍ଟ ସୁଦ୍ଧା ବ୍ରିଟେନ ହେବ କୋରୋନା ମୁକ୍ତ । ଶୁକ୍ରବାର ଦିନ ଡେଲି ଟେଲିଗ୍ରାଫକୁ ଏଭଳି ସୂଚନା ଦେଇଛନ୍ତି ଟିକା ଟାସ୍କଫୋର୍ସ ମୁଖ୍ୟ କ୍ଲାଇଭ ଡିକ୍ସ । ତେଣୁ ଭ୍ୟାକ୍ସିନ୍ ବୁଷ୍ଟର୍ ପ୍ରୋଗ୍ରାମକୁ 2022ର ଆରମ୍ଭ ବେଳକୁ ସ୍ଥଗିତ ରଖିହେବ ବୋଲି ସେ କହିଛନ୍ତି । ସଂକ୍ରମିତ ହେବେ ବୋଲି ଆଶଙ୍କା କରାଯାଉଥିବା ଲୋକମାନଙ୍କୁ ଚଳିତ ବର୍ଷ ଶେଷ ଆଡ଼କୁ କେଉଁ ଟିକା ‘ସର୍ବୋତ୍ତମ ବୁଷ୍ଟର୍’ ଭାବେ ଦିଆଯିବ, ତାହା ସରକାର ଅନୁଧ୍ୟାନ କରୁଛନ୍ତି ।
କ୍ଲାଇଭ୍ ଡିକ୍ସ୍, ଟେଲିଗ୍ରାଫ୍କୁ କହିଛନ୍ତି ଯେ, ଆଶା କରୁଛୁ ଯେ, ଜୁଲାଇ ଶେଷ ସୁଦ୍ଧା ବ୍ରିଟେନର ସମସ୍ତ ନାଗରିକଙ୍କୁ ଅନୁନ୍ୟ ଥରେ ଲେଖାଏଁ ଟିକା ଦିଆ ସରିଥିବ। ସମ୍ଭବତଃ ସେତେବେଳକୁ ଆମେ ଜନସାଧାରଣଙ୍କୁ ସମସ୍ତ ପ୍ରକାର ଭୂତାଣୁ କବଳରୁ ସୁରକ୍ଷା ଦେଇ ସାରିଥିବୁ। ଇଂଲଣ୍ଡ ଏଯାବତ ୫୧ ନିୟୁତରୁ ଅଧିକ ଡୋଜ୍ ଟିକା ଦେଇ ସାରିଲାଣି। ଦେଶର ଅନ୍ୟୂନ ଅର୍ଦ୍ଧେକ ପ୍ରାପ୍ତ ବୟସ୍କ ଜନତାଙ୍କୁ ଟିକା ଦେବାରେ ଇଂଲଣ୍ଡ ବିଶ୍ବର ଦ୍ବିତୀୟ ତ୍ବରିତ ଦେଶ ହୋଇପାରିଛି ।
ବ୍ରିଟିଶ ଅଧିକାରୀମାନେ କହିଛନ୍ତି ଯେ, 40 ବର୍ଷରୁ କମ୍ ଲୋକଙ୍କୁ ଅକ୍ସଫୋର୍ଡ / ଆଷ୍ଟ୍ରା ଜେନେକାର (AZN.L) କୋଭିଡ ଟିକାକୁ ବିକଳ୍ପ ଭାବରେ ଦିଆଯିବା ଉଚିତ, ଯେଉଁଠାରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା କମ୍ ଥାଏ ।‘ଜଏଣ୍ଟ୍ କମିଟି ଅନ୍ ଭ୍ୟାକ୍ସିନେସନ୍ ଆଣ୍ଡ୍ ଇମ୍ୟୁନାଇଜେସନ୍’ (ଜେସିଭିଆଇ) କହିଛି ଯେ, ଏହି ପରାମର୍ଶ ବ୍ରିଟେନରେ କୋରୋନାଭାଇରସ୍ ସଂକ୍ରମଣ କଥା ପ୍ରତିଫଳନ କରିବା ସହ ‘ଫାଇଜର୍’ ଏବଂ ‘ମଡର୍ଣ୍ଣା’ ନିର୍ମିତ ଟିକା ଉପଲବ୍ଧ ହେବା କଥା ସୂଚାଉଛି। ତେବେ ଗତ ଡିସେମ୍ବର ମାସରେ ‘ଟାସ୍କ୍ ଫୋର୍ସ’ର ଅସ୍ଥାୟୀ ମୁଖ୍ୟ ଭାବେ ନିଯୁକ୍ତ କ୍ଲାଇଭ୍ ଡିକ୍ସ୍ ଗତ ସପ୍ତାହରେ ଇସ୍ତଫା ଦେଇଛନ୍ତି।