ନୂଆଦିଲ୍ଲୀ: ଆଶ୍ଚର୍ଯ୍ୟ, ଅବିଶ୍ବସନୀୟ ଓ ଅବାକ୍। 2 ମାସ ଧରି କଥା କହି ପାରୁନଥିଲେ। ଏବେ ହଠାତ୍ କହିବାର କ୍ଷମତା ଫେରି ପାଇବା ସହ 4ଟି ଭାଷା ଭଙ୍ଗୀରେ ଉଚ୍ଚାରଣ କରୁଛନ୍ତି ମହିଳା। ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ରୋମାଞ୍ଚକ ଘଟଣା। କାରଣ ଡାକ୍ତରମାନେ ମଧ୍ୟ ଏହାର କାରଣ ଖୋଜି ପାଇ ପାରୁନାହାଁନ୍ତି। ମହିଳା ଜଣକ କାହିଁକି ନିଜର କଥା କହିବା ଶକ୍ତି ହରାଇଥିଲେ ଓ ଏବେ ଯଦିଏ ଫେରି ପାଇଲେ ଏମିତି କେମିତି ସମ୍ଭବ।
ସୂଚନା ଥାଉକି, ରହସ୍ୟମୟ ଭାବେ ମସ୍ତିଷ୍କରେ ଆଭ୍ୟନ୍ତରଣୀ ଆଘାତ ପରେ ବାକ୍ ଶକ୍ତି ହରାଇ ବସିଲେ ମହିଳା ଜଣକ। ହେଲେ ମାସେ ପରେ ପୁଣି କଥାବାର୍ତ୍ତା ଆରମ୍ଭ କରିବା ସହ ଭଙ୍ଗା ଇଂରାଜୀ, ଫ୍ରେଞ୍ଚ, ଇଟାଲୀ ଓ ଋଷର ଭାଷାରେ କଥା କହିବା ଆରମ୍ଭ କରିଛନ୍ତି। ଯାହା ଡାକ୍ତର ଓ ଚିକିତ୍ସକଙ୍କୁ ଆଶ୍ଟର୍ଯ୍ୟ କରିଛି। ଏହି ମହିଳା ଜଣକ ହେଲେ ବ୍ରିଟେନର ଏମିଲି ଏଗାନ।
ସବୁଠୁ ରହସ୍ୟମୟ କଥା ହେଉଛି, ମହିଳା ଜଣଙ୍କ ଆଚରଣ ଶୈଳୀ ତାଙ୍କ ଭାବନା ଓ ମାନସିକ ପରିବର୍ତ୍ତନ ହେଉଛି। ଯେପରିକି ସେ ଦୁଃଖ ଓ ଚାପଗ୍ରସ୍ତ ସମୟରେ ରଷିଆନ କହିଥାନ୍ତି। ଅନ୍ୟ ସମୟରେ ସେ ଉକ୍ତ ତିନୋଟି ଭାଷା କହିବା ସହ କ୍ଲାନ୍ତ ଓ ଥକ୍କାପଣ ଅନୁଭବ କଲେ କହିବାକୁ ସକ୍ଷମ ହେଉ ନାହାଁନ୍ତି।
ଡାକ୍ତରମାନେ ତାଙ୍କ ଅବସ୍ଥା ଅଧ୍ୟୟନ କରିଥିଲେ ଏବଂ ଏକ ଷ୍ଟ୍ରୋକର କୌଣସି ସଙ୍କେତ ନଥିଲା। ହେଲେ ମସ୍ତିଷ୍କର କ୍ଷତି ହେତୁ ଏକ ବିରଳ ବକ୍ତବ୍ୟ ବ୍ୟାଧିରେ ଏମିଲିଙ୍କୁ 'ବିଦେଶୀ ଉଚ୍ଚାରଣ ସିଣ୍ଡ୍ରୋମ' ଚିହ୍ନଟ କରାଯାଇଥିଲା।
ଏ ବିଷୟରେ ମହିଳା ଜଣଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ମୋର ଉଚ୍ଚାରଣ ନୁହେଁ, ସମ୍ପୂର୍ଣ୍ଣ ବଦଳି ଯାଇଛି। ମୁଁ ବର୍ତ୍ତମାନ ଭିନ୍ନ ଭାବରେ ଲେଖୁଛି ମୋର ପୁରା ଶବ୍ଦକୋଷ ବଦଳିଛି ଏବଂ ମୋର ଜୀବନ ସାରା ବ୍ରିଟେନରେ ରହିବା ସତ୍ତ୍ବେ ମୋର ଇଂରାଜୀ ଖରାପ ଭାବେ ଉଚ୍ଚାରିତ ହେଉଥିବା ଏମିଲି କହିଛନ୍ତି।
ଏନେଇ ମୋତେ ଅନେକ ସ୍ଥାନରେ ହଇରାଣ ହରକତ୍ ହେବାକୁ ପଡୁଛି। କାରଣ ଦୋକାନ ବଜାରକୁ ଗଲେ ସେମାନେ ମୋତେ ବିଦେଶିନୀ ଭାବୁଛନ୍ତି ଓ କୋରୋନା ମହାମାରୀ ସମୟରେ ସଂକ୍ରମଣ ବିସ୍ତାର କରିବାକୁ ଆସିଥିବା କହି ଗାଳିଗୁଲଜ କରୁଛନ୍ତି।