କାଠମାଣ୍ଡୁ: ନେପାଳରେ ରାଜନୈତିକ ପାଣିପାଗରେ ଅସ୍ଥିରତା ଲାଗି ରହିଛି । ଏଥିପାଇଁ ନେପାଳବାସୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ଦାୟୀ କରିଛନ୍ତି । ଉଭୟ ନେପାଳ ସମ୍ବିଧାନକୁ ନଷ୍ଟ ଭ୍ରଷ୍ଟ କରିଦେଇଛନ୍ତି । ସେମାନେ ଯେତେବେଳେ ଚାହୁଁଛନ୍ତି ଦେଶର ନିମ୍ନ ଗୃହକୁ(ପ୍ରତିନିଧି ସଭା) ଭଙ୍ଗ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଉଭୟ ଓଲି ଓ ରାଷ୍ଟ୍ରପତି ବିଦ୍ୟାଦେବୀ ନେପାଳବାସୀଙ୍କ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ।
ନେପାଳର ସମ୍ବିଧାନ ନିର୍ମାତାମାନେ କହିଛନ୍ତି, ଲୋକସଭା ଭଙ୍ଗ କରିବା ଅଧିକାର ପ୍ରଧାନମନ୍ତ୍ରୀଙ୍କ ନିକଟରେ ନାହିଁ । 1990ର ସମ୍ବିଧାନରେ ଯେତେବେଳେ ରାଜତନ୍ତ୍ର ଚାଲିଥିଲା ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଲୋକସଭା ଭଙ୍ଗର ଅଧିକାର ଥିଲା । ମାତ୍ର 2015 ସମ୍ବିଧାନରେ ଏଥିରେ ସଂଶୋଧନ କରାଯାଇ ଏହି କ୍ଷମତା ହଟାଇ ଦିଆଯାଇଛି । ଏହାସତ୍ତ୍ବେ ବି ଉଭୟ କେପି ଓଲି ଓ ବିଦ୍ୟାଦେବୀ ଦୁଇ ଦୁଇଥର ସଂସଦ ଭଙ୍ଗ ପାଇଁ ସୁପାରିଶ କରିଛନ୍ତି । ପ୍ରତ୍ୟେକ ଥର ସଂସଦ ଭଙ୍ଗ ପାଇଁ ସୁପାରିଶ କରାଯିବା ପରେ 6 ମାସ ମଧ୍ୟରେ ନିର୍ବାଚନ କରିବା ବାଧ୍ୟତାମୂଳକ ହୋଇଯାଇଥାଏ । ଏଣୁ ରାଷ୍ଟ୍ରପତି ସମ୍ବିଧାନ 76 ଅନୁଚ୍ଛେଦକୁ ବିଚାର ନ କରି ଯାହା ଓଲି ଚାହାନ୍ତି ତାହାକୁ ସହମତି ଜଣାନ୍ତି ବୋଲି ସମାଲୋଚକ କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ସଚିବାଳୟ ଏବଂ ରାଷ୍ଟ୍ରପତି କାର୍ଯ୍ୟାଳୟ ଏହି ସମ୍ବିଧାନ ଅବମାନନା ଆରୋପକୁ ଖଣ୍ଡନ କରିଛନ୍ତି ।
ସୂଚନାଥାଉ କି, ଓଲି ଓ ଭଣ୍ଡାରୀ ଉଭୟ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳର ସଦସ୍ୟ ଅଟନ୍ତି । ଏଣୁ ଭଣ୍ଡାରୀ ଓଲିଙ୍କ ଆଉ ଏକ ରୂପ ବୋଲି ବିବେଚନା କରାଯାଏ । ବିଦ୍ୟାଦେବୀ ଭଣ୍ଡାରୀଙ୍କ ସ୍ବାମୀ ମଦନ ଭଣ୍ଡାରୀଙ୍କ 1993ରେ ସଡକ ଦୁର୍ଘଟଣାରେ ଦେହାନ୍ତ ପର ଠାରୁ ଓଲି ବିଦ୍ୟାଦେବୀଙ୍କ ରାଜନୈତିକ ସ୍ଥିତି ମଜବୁତ କରିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି । ଯେଉଁ କାରଣରୁ ବିଦ୍ୟାଦେବୀ ଭଣ୍ଡାରୀ ପାର୍ଟି ଆଧାରରେ କାର୍ଯ୍ୟ କରନ୍ତି ଏବଂ ଓଲିଙ୍କ ସବୁ ପଦକ୍ଷେପକୁ ସମର୍ଥନ କରନ୍ତି ।
ତେବେ ଏସବୁ ଆଚରଣ ସତ୍ତ୍ବେ ମଧ୍ୟ କେପି ଓଲିଙ୍କ ଲୋକପ୍ରିୟତା ମଜବୁତ ରହିଛି । ମୁଖ୍ୟତଃ 2ଟି କାରଣରୁ ଓଲିଙ୍କ ସମର୍ଥକମାନେ ତାଙ୍କୁ ସମର୍ଥନ କରନ୍ତି । ପ୍ରଥମତଃ ଭାରତ ବିରୋଧୀ ଆଭିମୁଖ୍ୟ । 2015ରେ ଯେତେବେଳେ ନେପାଳ ସମ୍ବିଧାନ ଘୋଷିତ ହୋଇଥିଲା, କେପି ଓଲି ଭାରତ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ତରାଇରେ ରହୁଥିବା ମଧେଶୀଙ୍କ ଦାବିକୁ ବିଚାର କରିବା ପାଇଁ ଦିଲ୍ଲୀ ଦ୍ବାରା ଚାପ ସୃଷ୍ଟି ହୋଇଥିଲା । ହେଲେ ଓଲି ଏହାକୁ ମାନିବାକୁ ମନା କରିଦେଇଥିଲେ । ଏହାପରେ ନେପାଳ-ଭାରତ ସୀମାରେ ମାସ ମାସ ଧରି ଆର୍ଥିକ ନାକାବନ୍ଦି ଭଳି ସ୍ଥିତି ସୃଷ୍ଟି ହୋଇଥିଲା ।
ଦ୍ବିତୀୟ କାରଣ ହେଲା, 2020 ମେ 20 ତାରିଖରେ ନେପାଳ ସରକାର ଏକ ନୂଆ ରାଜନୈତିକ ମାନଚିତ୍ର ପ୍ରକାଶ କରିଥିଲେ । ମାତ୍ର ଏହାପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଳାପାଣି-ଲିମ୍ପିୟାଧୁରା ଅଞ୍ଚଳ ଦେଇ ଯାଉଥିବା କୈଳାସ ମାନସରୋବର ପାଇଁ ଏକ ନୂତନ ରାଜପଥ ଉଦଘାଟନ କରିଥିଲେ । ଭାରତ ଏହି ଅଞ୍ଚଳକୁ ନିଜର କହୁଥିବାବେଳେ ନେପାଳ ମଧ୍ୟ ଏହାକୁ ନିଜ ଅଂଶ ଭାବେ ଦାବି କରିଆସୁଛି । 1816 ମସିହାରେ ବ୍ରିଟିଶ ଭାରତ ଏବଂ ନେପାଳ ମଧ୍ୟରେ ସ୍ବାକ୍ଷରିତ ସୁଗୌଲି ଚୁକ୍ତି ଅନୁଯାୟୀ ଉକ୍ତ ଅଞ୍ଚଳଟି ଆମର ବୋଲି ନେପାଳ ଦୃଢୋକ୍ତି ପ୍ରକାଶ କରିଛି । ଏହି ଚୁକ୍ତିନାମା ଅନୁଯାୟୀ, ମହାକାଳୀ ନଦୀକୁ ଦୁଇ ଦେଶ ମଧ୍ୟରେ ସୀମା ରୂପେ ଉଲ୍ଲେଖ କରାଯାଇଛି । କିନ୍ତୁ ଆଜି ଯାଏଁ ଦିଲ୍ଲୀ ଏବଂ କାଠମାଣ୍ଡୁ କୌଣସି ସୀମା ସ୍ଥିର କରିନାହାନ୍ତି ।
ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହୁସଂଖ୍ୟକ ମଧେଶୀ ନେତା ସମର୍ଥନ କରିଥାନ୍ତି । ଯାହା ଓଲିଙ୍କ ଆତ୍ମବିଶ୍ବାସର ଅନ୍ୟ ଏକ କାରଣ ବୋଲି ରାଜନୈତିକ ବିଶ୍ଲେଷକମାନେ ବିଚାର କରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ