କିପରି କାମ କରେ ଚୀନର ସଲାମି ସ୍ଲାଇସିଂ ଷ୍ଟ୍ରାଟେଜି ? - Galwan valley issue
କୌଣସି ଦେଶର ସୀମା ଜବରଦଖଲ କରି ନିଜ ଅକ୍ତିଆରକୁ ଆଣିବା ଏବଂ ନିଜ ପରିସୀମା ବୃଦ୍ଧି କରିବା ଚୀନର ପୁରୁଣା ଅଭ୍ୟାସ । ଏଥିପାଇଁ ଡ୍ରାଗନ ଦେଶ ବିଭିନ୍ନ ଚାଲାକ ନୀତି ଆପଣାଇଥାଏ । ଅଧିକ ପଢନ୍ତୁ...
ହାଇଦ୍ରାବାଦ:ବର୍ତ୍ତମାନ ଦେଶସାରା ଚୀନ୍ ବିରୋଧୀ ମନୋଭାବ ଦେଖିବାକୁ ମିଳିଛି । ଲଦାଖର ଗଲୱାନ ଉପତ୍ୟକାରେ ଭାରତ ସହ ସଂଘର୍ଷ ପରେ ଭାରତୀୟ ଯବାନଙ୍କ ଶହୀଦ ହେବା ଘଟଣାରେ ସାରା ଦେଶ ଉତକ୍ଷିପ୍ତ ହୋଇଛି । ଦେଶବ୍ୟାପୀ ଚୀନକୁ ବୟକଟ୍ କରିବା ଦାବି ଜୋର ଧରିଛି । ତେବେ ଏପରି ପ୍ରଥମ ଥର ଘଟିନାହିଁ ଯେବେ ଚୀନ୍ ଜବରଦସ୍ତ ସୀମା ଭିତରେ ପଶି ଆସି ଭାରତୀୟ ସେନା ଉପରେ ଆକ୍ରମଣ କରିଛି । ପୂର୍ବରୁ ଅନେକ ଥର ଏପରି ଘଟଣା ଘଟିବାର ନଜିର ରହିଛି ।
ଚୀନର ଏହାଏକ ଷ୍ଟ୍ରାଟେଜି ବୋଲି ବିଶେଷଜ୍ଞ କହିଛନ୍ତି । ଚୀନ୍ ଭଳି କମ୍ୟୁନିଷ୍ଟ ଦଳର ମନୋଭାବ ପ୍ରଥମରୁ ଏପରି ରହିଆସିଛି । କୌଣସି ଦେଶର ସୀମା ଜବରଦଖଲ କରି ନିଜ ଅକ୍ତିଆରକୁ ଆଣିବା ଏବଂ ନିଜ ପରିସୀମା ବୃଦ୍ଧି କରିବା ଚୀନର ପୁରୁଣା ଅଭ୍ୟାସ । ଏଥିପାଇଁ ଡ୍ରାଗନ ଦେଶ ବିଭିନ୍ନ ଚାଲାଖ ନୀତି ଆପଣାଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ସଲାମି ସ୍ଲାଇସିଂ ଷ୍ଟ୍ରାଟେଜି । ଏହାଦ୍ବାରା ଟାର୍ଗେଟ ଦେଶଙ୍କୁ ନିଜ ଷଡଯନ୍ତ୍ରରେ ଫସାଇ ସେମାନଙ୍କ ସମସ୍ତ ପ୍ଲାନକୁ ଭଣ୍ଡୁର କରିଥାଏ ଚୀନ୍ । ଧିରେ ଧିରେ ନିଜ ପ୍ଲାନ୍ ଏପରି ଭାବେ ଲାଗୁ କରିଥାଏ ଯେ ସାମନାରେ ଥିବା ଦେଶ ଏହାକୁ ବୁଝିବା ଆଗରୁ ତାହାର ପରିଣାମ ଭୋଗି ସାରିଥାଏ ।
ଚୀନର ଏହି ନୀତି ଅନୁସାରେ ଡରାଇ ଓ ଧମକାଇ ଧିରେ ଧିରେ ଅନ୍ୟ ଦେଶର ସୀମାକୁ ନିଜ ଅକ୍ତିଆରକୁ ଅଣାଯାଇଥାଏ । ଏପରି ଚାଲାକି ଭାବେ ଏହା କାର୍ଯ୍ୟକାରୀ ହୋଇଥାଏ ଯେ କେହି କିଛି ବୁଝିବା ପୂର୍ବରୁ ଏହା ନିଜ ଟାର୍ଗେଟ ପୂରଣ କରିଥାଏ । ପ୍ରଥମେ କିଛି ପଦକ୍ଷେପ, ପରେ ଶାନ୍ତ ରହିଯିବା । ଏହି ସମୟରେ ଲାଗିବ ଏହା କିଛି କାର୍ଯ୍ୟ କରିବନି । ଯେବେ ପୁଣି ହଠାତ୍ ନିଜ ପତିଆରା ଦେଖାଇବା । ଯେତେବେଳେ କେହି ପ୍ରସ୍ତୁତ ନଥିବେ ଅଚାନକ ଏପରି କିଛି କାର୍ଯ୍ୟ କରିବା ଯାହା ଫଳରେ ଏହାର ମୁକାବିଲା କରିହେବନି । ସେହିପରି କୂଟନୈତିକ ସ୍ତରରେ ସବୁ ଭଲ ଭାବେ ଚାଲିଥିବାବେଳେ ସେନା ସ୍ତରରେ ଅନ୍ୟ କିଛି ମନୋଭାବ ଦେଖାଇବା । ଏସବୁ ଚୀନର ପୁରୁଣା ନୀତି ଏବଂ ପଡୋଶୀ ଦେଶର ସୀମା ଦଖଲ କରିବାର ଋଣନୀତି ।
ଚୀନ୍ ପ୍ରଥମ ଦେଶ ଯିଏ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପଡୋଶୀ ଦେଶଙ୍କ ଅଞ୍ଚଳ ଅକ୍ତିଆର କରି ନିଜ ସୀମା ବଢାଇଛି । କେବଳ ସ୍ଥଳ ଭାଗ ନୁହେଁ ଜଳଭାଗରେ ମଧ୍ୟ ଏହା ଜବରଦଖଲରେ ମାହିର । ତିବ୍ଦତ ଏବଂ ହଂକଂ ଏହାର ଶ୍ରେଷ୍ଠ ଉଦାହରଣ । ସେହିପରି ଦକ୍ଷିଣ ଚୀନ ସାଗରରେ ଗତ କିଛି ବର୍ଷ ଧରି ନିଜର ପ୍ରଭୁତ୍ବ ବିସ୍ତାର କରି ଏଠାରେ ଜବରଦସ୍ତ ନିଜ ଆଧିପତ୍ୟ ବିସ୍ତାର କରିଛି ଡ୍ରାଗନ । ଚୀନ୍ ଏସବୁ ଏକ ସଠିକ୍ ଏବଂ ଭାବିଚିନ୍ତି ଋଣନୀତି ଆପଣାଇ ସମ୍ପାଦନ କରିଥାଏ । ପ୍ରଥମେ ଏହା ଏକ ଅଞ୍ଚଳ ଦଖଲ କରି ଏହାକୁ ଏପରି ଭାବେ ନିଜର ବୋଲି ଦାବି କରିବ ଯେ ସମସ୍ତେ ଭାବିବାକୁ ବାଧ୍ୟ ହେବ ଏହା ଏକ ବିବାଦୀୟ ଜମି । ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଖୁବ୍ ତୀକ୍ଷ୍ଣ ଓ ସୁଚିନ୍ତିତ ଯୋଜନା ଏବଂ ଷଡଯନ୍ତ୍ର ପ୍ରସ୍ତୁତ କରିଥାଏ ଡ୍ରାଗନ ଦେଶ । ଅନ୍ତର୍ଜାତୀୟ ଦରବାରରେ ଏପରି ଭାବେ ଏହାକୁ ଉପସ୍ଥାପନା କରାଯାଏ ଯେପରି ସବୁ ରାଷ୍ଟ୍ର ଭାବିବାକୁ ବାଧ୍ୟ ହେବେ ପ୍ରକୃତରେ ଏଠାରେ କିଛି ବିବାଦ ରହିଛି ଏବଂ ଚୀନର ଏହା ଉପରେ ଅଧିକାର ଅଛି । ଏଥିପାଇଁ ନିଜର ସାମରିକ ଏବଂ କୂଟନୈତିକ ବଳ ଲଗାଇଦିଏ ଚୀନ୍ ।
ପ୍ରଥମେ 1940ରେ ସଲାମି ସ୍ଲାଇସିଂ ଷ୍ଟ୍ରାଟେଜି ବାହାର କରିଥିଲେ ଜଣେ କମ୍ୟୁନିଷ୍ଟ ରାଜନେତା ମାଟ୍ୟାସ ରାକୋସି । ଏହାର ଅର୍ଥ କୌଣସି ଏକ ସାମଗ୍ରୀକୁ ସ୍ଲାଇସ୍ କରି ଅର୍ଥାତ ଆସ୍ତେ ଆସ୍ତେ କାଟି ସମ୍ପୂର୍ଣ୍ଣ ଭାବେ ଶେଷ କରିଦେବା । 1948ରେ ପ୍ରଥମେ ଏହି ଉପାୟରେ ତିବ୍ଦତ ଉପରେ ଅଧିକାର ଦଖଲ କରିଥିଲା ଚୀନ୍ । ସେତେବେଳେ ଏହାର କାର୍ଯ୍ୟରେ ଅତିଷ୍ଠ ହୋଇ ଧର୍ମଗୁରୁ ଦଲାଇଲାମାଙ୍କ ସହ ତାଙ୍କର ଲକ୍ଷାଧିକ ଅନୁଗାମୀ ଭାରତର ଶରଣ ନେଇଥିଲେ । ପ୍ରଥମେ ଚୀନ୍ ସାମରିକ ବଳ ଲଗାଇ ଏହି ବୌଦ୍ଧ ସନ୍ଥଙ୍କ ଦେଶକୁ ଅକ୍ତିଆର କରିଥିଲା । ପରେ ଏହା ବହୁ କାଳ ଆଗରୁ ଚୀନର ଅଂଶ ଥିଲା ବୋଲି ଦାବି କରିଥିଲା । ସେହିପରି ପୂର୍ବ ଲଦାଖର କିଛି ଅଂଶ ଏବଂ ଜମ୍ମୁ ଓ କାଶ୍ମୀରର ଅକସାଇ ଚୀନକୁ କବଜା କରିଥିଲା ଡ୍ରାଗନ ଦେଶ ।
ଏହାପରେ ଭାରତ ଉପରେ ଏହାର ଲୋଭନୀୟ ନଜର ପଡିଥିଲା । ବିଶେଷ କରି ଦଲାଇଲାମାଙ୍କୁ ଭାରତ ରାଜନୈତିକ ଆଶ୍ରୟ ଦେବା ପରେ ଚୀନ୍ ଅଧିକ ଉତକ୍ଷିପ୍ତ ହୋଇଥିଲା । ଦୀର୍ଘ ବର୍ଷ ହେବ ଭାରତ-ଚୀନ୍ ସୀମାରେ ଅରୁଣାଚଳ ପ୍ରଦେଶର 90 ହଜାର ସ୍କୋୟାର କିଲୋମିଟର ଅଞ୍ଚଳକୁ ନିଜର ବୋଲି ଦାବି କରିଆସୁଛି ଚୀନ୍ । ଏହାକୁ ଦକ୍ଷିଣ ତିବ୍ଦତ ଆଖ୍ୟା ଦେଇ କବଜା କରିବାକୁ ଚାହୁଁଛି । ସେହିପରି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ଛୋଟ ଛୋଟ ଅଞ୍ଚଳ ଉପରେ ଏହା ନିଜର ଆଧିପତ୍ୟ ଦାବି କରୁଛି । କାଶ୍ମୀରର କାରାକୋରାମର ଉତ୍ତରକୁ ପ୍ରାୟ 6000 ସ୍କୋୟାର କିଲୋମିଟର ପାକିସ୍ତାନଠାରୁ ନେଇ ନିଜ ସୀମାରେ ଯୋଡିଛି ଚୀନ୍ । କାଗଜପତ୍ର ଅନୁସାରେ ଏହା ଭାରତର ଅଞ୍ଚଳ ବୋଲି ସୂଚନା ରହିଛି । ଏବେ ଗଲୱାନ ଉପତ୍ୟକାକୁ ନିଜର ଅଂଶ ବୋଲି ଦାବି କରିବାରେ ଲାଗିଛି । ତିବ୍ବତ ଏବଂ ଭାରତରେ ହିମାଳୟ କବଜା କରିବା ପରେ ଭାରତକୁ ପୂର୍ବ ପଟରୁ ଘେରିବା ପାଇଁ ଏସିଆର ପୂର୍ବ ଦେଶ ଉପରେ ନଜର ପକାଇଥିଲା ପଡୋଶୀ ଦେଶ । ଭିଏତନାମ୍ ଏବଂ ଫିଲିପ୍ପାଇନ୍ସଠାରୁ ଜବରଦସ୍ତ ଅଞ୍ଚଳ ଦଖଲ କରି ଏହା ନିଜର ସୀମା ବିସ୍ତାର କରିଛି ।
ନିଜ ସୀମା ବଢାଇବା ପାଇଁ ଏହା ସାଥୀ ରାଷ୍ଟ୍ରଙ୍କୁ ମଧ୍ୟ ଛାଡିନଥିଲା । ଆମେରିକା ଓ ଜାପାନର ବିରୋଧ ସତ୍ତ୍ବେ ଜାପାନର ବିଭିନ୍ନ ଦ୍ବୀପକୁ କବଜା କରି ଏଠାରେ ନିଜ ସାମରିକ ଘାଟି ତିଆରି କରିଛି ଚୀନ୍ । ଦକ୍ଷିଣ ଚୀନ୍ ସାଗରରେ ଏହା 80ଟି ଦ୍ବୀପକୁ କବଜା କରି ଏମାନଙ୍କ ନାମକରଣ କରିଛି । ଚୀନର ପ୍ରକୋପରୁ ତାଇୱାନ, ଦକ୍ଷିଣ କୋରିଆ ଏବଂ ଜାପାନ ଭଳି ରାଷ୍ଟ୍ର ମଧ୍ୟ ବଞ୍ଚିନାହାନ୍ତି । ଅନେକ ସମୟରେ ଦକ୍ଷିଣ ଚୀନ୍ ସାଗରରେ ଏମାନେ ସାମରିକ କାରବାରର ସାମନା କରିଛନ୍ତି । ନିଜ ପ୍ରଭୁତ୍ବ ବିସ୍ତାର କରିବାକୁ ଏହା କାହାରିକୁ ଛାଡିନାହିଁ । ଧିରେ ଧିରେ ନିଜ ଯୋଜନାର କାର୍ଯ୍ୟକାରୀ କରିଥାଏ ଚୀନ୍ । ପ୍ରଥମେ ଏହା ସାମରିକ ବଳ ପ୍ରୟୋଗ କରି କୌଣସି କାର୍ଯ୍ୟ କରିଦିଏ ଏବଂ ପରେ କୂଟନୈତିକ ସ୍ତରରେ ଏହାକୁ ସଠିକ୍ ପ୍ରମାଣିତ କରିବାକୁ ଲାଗିପଡେ । ଆସ୍ତେ ଆସ୍ତେ ଏହା ଏପରି ନିଜ ଦାବିକୁ ଯଥାର୍ଥ ଭାବେ ପ୍ରମାଣ କରିଦିଏ ଯେ ସମସ୍ତେ ଚୀନକୁ ସତ ବୋଲି ମାନିବାକୁ ବାଧ୍ୟ ହୁଅନ୍ତି । ଏପରି ଷଡଯନ୍ତ୍ର କରି ଚୀନ୍ ଭାରତର ଅନେକ ଜାଗା ଏବେ ଜବରଦଖଲ କରିବାକୁ ଉଦ୍ୟମ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ