କାବୁଲ: ଆଫଗାନିସ୍ତାନର 13ଟି ପ୍ରଦେଶରେ ଗତ ଦୁଇ ସପ୍ତାହ ମଧ୍ୟରେ ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ମଧ୍ୟରେ ସଂଘର୍ଷ ଚରମ ସୀମାରେ ପହଞ୍ଚିଛି । ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ଲାଗି ଉଦ୍ୟମ ଜାରି ରହିଛି । ଏହାଦ୍ବାରା ଗତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟିବ ବୋଲି ଆଶା କରାଯାଉଛି । ସେପଟେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ସଂଘର୍ଷ କମିବାର ନାଁ ନେଉନାହିଁ ।
ତେବେ ଏନେଇ ତାଲିବାନକୁ ଚେତାବନୀ ଦେଇଛନ୍ତି ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ମୁଖପାତ୍ର ସେଦିକ ସିଦ୍ଦିକୀ । ସେମାନେ ସାମରିକ ଭାବରେ ଜିତିବେ ନାହିଁ ବୋଲି ଅନୁଭବ କରିବା ଉଚିତ ବୋଲି ସେ କହିଛନ୍ତି । ତେବେ ତଥ୍ୟ ଦର୍ଶାଉଛି ଯେ, ଗତ ଦୁଇ ସପ୍ତାହ ମଧ୍ୟରେ ଆଫଗାନିସ୍ତାନ ସରକାର ଏବଂ ତାଲିବାନ ମଧ୍ୟରେ ପରୱାନ, ମୈଦାନ ୱାର୍ଡକ, ଗଜନୀ, ଜାବୁଲ, ଉରୁଜଗାନ, କୁଣ୍ଡୁଜ, ବାଲଖ, ସାମଙ୍ଗାନ, ବାଗଲାନ, କାନ୍ଦାହାର, ଘୋର, ବାଗିସ୍ ଏବଂ ହେରାଟରେ ସଂଘର୍ଷ ଘଟିଛି ।
ତାଲିବାନ ରଣନୈତିକ ଜିଲ୍ଲା, ସହର ଏବଂ ରାଜପଥରେ ଲଗାତାର ଆକ୍ରମଣ କରିଛି। ଶାନ୍ତି ଚୁକ୍ତିର ଏକ ଅଂଶ ଭାବରେ ସେମାନେ ଏପରି ନକରିବାକୁ ରାଜି ହୋଇଥିଲେ। କିନ୍ତୁ ସେମାନେ ଏଭଳି କରୁନଥିବା ଦେଖିବାକୁ ମିଳୁଛି ।
ସୁରକ୍ଷା ସୂତ୍ର ଅନୁଯାୟୀ, ତାଲିବାନ ରବିବାର କୁଣ୍ଡୁଜ ସହରର ଆଫଗାନିସ୍ତାନ ପୋଲିସର ଏକ ଚେକପଏଣ୍ଟ ଉପରେ ଆକ୍ରମଣ କରି 9 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା । ସେହି ଦିନ ହିଁ ସେମାନେ ଅନ୍ୟ ଏକ ଆକ୍ରମଣ କରି 4 ଜଣ ସୁରକ୍ଷା ବାହିନୀର ସଦସ୍ୟ ଏବଂ ଅଧିକାରୀଙ୍କୁ ହତ୍ୟା କରିଥିଲେ ।
ସେହିପରି ସୋମବାର ଅପରାହ୍ନରେ ୱାର୍ଡକ ପ୍ରଦେଶର ସୟଦ ଆବାଦ୍ ଜିଲ୍ଲାର ଆଫଗାନିସ୍ତାନ ଜାତୀୟ ସେନାର ଏକ କନଭେନରେ ତାଲିବାନ ଆତ୍ମଘାତୀ କାର ବୋମା ବିସ୍ଫୋରଣ କରିଥିଲା । ଯେଉଁଥିରେ 8 ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ ଏବଂ ଅନ୍ୟ 9 ଜଣ ଆହତ ହୋଇଥିଲେ।
ତେବେ ଅଣ-ଯୁଦ୍ଧ ଅଞ୍ଚଳରେ ବାୟୁସେନାର ଆକ୍ରମଣର ପ୍ରତିଶୋଧ ନିଆଯାଇଛି ବୋଲି ତାଲିବାନ କହିଛି । ତେବେ ହିଂସାକୁ ହ୍ରାସ କରିବା ଏବଂ ନିକଟ ଭବିଷ୍ୟତରେ ଦୋହାଠାରେ ଅନୁଷ୍ଠିତ ହେବାକୁ ଥିବା ଶାନ୍ତିବାର୍ତ୍ତା ପାଇଁ ତାଲିବାନକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆହ୍ବାନ ଦିଆଯାଇଛି । ତାଲିବାନ ଦ୍ୱାରା ହୋଇଥିବା ଆକ୍ରମଣ ଏବଂ ଉଚ୍ଚ ସ୍ତରର ହିଂସା ଗ୍ରହଣୀୟ ନୁହେଁ ବୋଲି ଆଫଗାନିସ୍ତାନ ସରକାର କହିଛନ୍ତି ।
ମଙ୍ଗଳବାର ରାଷ୍ଟ୍ରପତି ଘାନିଙ୍କ ମୁଖପାତ୍ର ସେଦିକ ସେଦିକ୍କି ତାଲିବାନ ଆକ୍ରମଣ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ତାଲିବାନ ସାମରିକ ଭାବେ ଜିତିବ ନାହିଁ । ଆଫଗାନିସ୍ତାନ ସରକାରଙ୍କ ନିରବତା ତାର ଦୁର୍ବଳତାକୁ ଦର୍ଶାଉ ନାହିଁ । ଆମେ ଶାନ୍ତି ପ୍ରୟାସ ପାଇଁ ଚୁପ ରହିଛୁ ବୋଲି ସେ କହିଛନ୍ତି ।