କାବୁଲ: ଦିନକୁ ଦିନ ବିଗିଡି ଚାଲିଛି ତାଲିବାନ କବଜାକୁ ଆସିସାରିଥିବା ଆଫଗାନ୍ତିସ୍ତାନ । ମଜାର-ଏ-ସରିଫ ଓ ଜଲାଲାବାଦ ଭଳି ବଡବଡ ସହରକୁ ନିଜ ଦଖଲକୁ ନେଇସାରିଥିବା ତାଲିବାନ ଏବେ ରାଜଧାନୀ କାବୁଲରେ ରଖିସାରିଛି ପାଦ । କାବୁଲ ଦଖଲ କରିବା ପରେ ବିଦେଶୀ ନାଗରିକଙ୍କ ପାଇଁ ନୂଆ ଆଦେଶ ଜାରି କରିଛି ତାଲିବାନ ।
ତାଲିବାନ ଆଫଗାନିସ୍ତାନକୁ ଯେତେ ଶୀଘ୍ର ଦଖଲ କରୁଛି, ସେତେ ଶୀଘ୍ର ସାଧାରଣ ନାଗରିକଙ୍କ ଉପରେ ଲାଗୁ ହେଉଛି ନୂଆ ପ୍ରତିବନ୍ଧକ । କାବୁଲ ଦଖଲ କରିବା ପରେ ବିଦେଶୀ ନାଗରିକଙ୍କୁ ରାଜଧାନୀ ଛାଡିବାକୁ ତାଲିବାନ ପକ୍ଷରୁ ଜାରି କରାଯାଇଛି ଆଦେଶ । ବିବୃତ୍ତି ଅନୁଯାୟୀ, କାବୁଲରେ ରହିବାକୁ ଚାହୁଁଥିବା ବିଦେଶୀମାନଙ୍କୁ ତାଲିବାନ ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ।
ବିଦେଶୀମାନେ ଦେଶ ଛାଡିବା ପାଇଁ କାବୁଲ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ରାସ୍ତା ଖାଲି କରାଯିବ ବୋଲି ତାଲିବାନ କହିଛି । ହେଲେ ଏଠାରେ ରହିବାକୁ ହେଲେ ବିଦେଶୀ ନାଗରିକଙ୍କୁ ପଞ୍ଜିକରଣ କରିବାକୁ ପଡିବ। ବିଦେଶୀମାନଙ୍କ ସହିତ ତାଲିବାନ ମଧ୍ୟ ଆଫଗାନିସ୍ତାନ ସେନାକୁ ଏକ ବାର୍ତ୍ତା ଦେଇ କହିଛି ଯେ ସେମାନେ ମଧ୍ୟ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ ।
କାବୁଲକୁ କବଜା କରିବା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଆସରଫ ଘନି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଅଲି ଅହମ୍ମଦ ଜାଲଲିଙ୍କୁ ଅସରଫ ଘନିଙ୍କ ସ୍ଥାନରେ ଅନ୍ତରୀଣ ସରକାରର ମୁଖ୍ୟ କରାଯାଇଛି। କାବୁଲକୁ ତାଲିବାନ ନିଜ ଦଖଲକୁ ନେବା ସରକାରଙ୍କ ବଡ ପରାଜୟ କୁହାଯାଇପାରେ ।