କାବୁଲ: ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିବା ପରେ ମହିଳାଙ୍କ ଉପରେ ବଢି ଚାଲିଛି ନିର୍ଯାତନା । ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଘର ଲୋକଙ୍କ ସାମ୍ନାରେ ହତ୍ୟା କରିଛନ୍ତି ତାଲିବାନୀ । ମୃତ ମହିଳା ଜଣକ ହେଉଛନ୍ତି ବାନୁ ନିଗର । ଏଭଳି ଘଟଣା ଦେଖିବାକୁ ମିଳିଛି ଆଫଗାନିସ୍ତାନର ଫିରୋଜଖାରେ । ବାନୁ ସ୍ଥାନୀୟ ପୋଲିସ ଷ୍ଚେସନର କାର୍ଯ୍ୟ କରୁଥିଲେ । ମହିଳାଙ୍କ ହତ୍ୟାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । କାହିଁକିନା ମୁହଁ ଖୋଲିଲେ ଜୀବନ ଯିବାର ଭୟ ରହିଛି । ବାନୁଙ୍କୁ ଆତଙ୍କୀମାନେ ନିଜ ସ୍ବାମୀ ଓ ପିଲାଙ୍କ ଆଗରେ ପିଟି ପିଟି ହତ୍ୟା କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଶନିବାର ତିନି ବନ୍ଧୁକଧାରୀ ମହିଳା ପୋଲିସଙ୍କ ଘରେ ବସି ତଲାସି ନେଇଥିଲେ । ପରେ ପରିବାର ଲୋକଙ୍କୁ ବାନ୍ଧି ଦେଇ ମହିଳାଙ୍କୁ ହତ୍ୟା କରିଥିଲେ । ଘରର ଏକ କୋଣରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିଥିଲେ ପରିବାର ଲୋକେ । ଭୟଭୀତ ଅବସ୍ଥାରେ ନିଜ ସମ୍ପର୍କୀୟ ମହିଳାଙ୍କ ଏକ ସ୍କେଚ ବନାଇଥିଲେ ଗଣମାଧ୍ୟମକୁ ଦେଇଥିଲେ । ଅତ୍ୟାଚାର ଏପରି ଭୟଙ୍କର ଥିଲା ଯେ ମହିଳାଙ୍କ ଚିହ୍ନଟ କରିବା କଷ୍ଟକର ହୋଇପଡିଥିଲା । ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି ।
ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ । ବାନୁ ନିଗରଙ୍କ ହତ୍ୟା ଘଟଣାରେ ତାଲିବାନର ସମ୍ପୃକ୍ତି ନଥିବା ସେ କହିଛନ୍ତି । ତେବେ ଏ ଘଟଣାରେ କାହାର ସମ୍ପୃକ୍ତି ରହିଛି । ସେନେଇ ତଦନ୍ତ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବ ପ୍ରଶାସନରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ତାଲିବାନ ସମସ୍ତ ଦୋଷକୁ କ୍ଷମା ଦେଇସାରିଛି । ବାନୁ ନିଗରଙ୍କ ହତ୍ୟାକୁ ବ୍ୟକ୍ତିଗତ ଶତ୍ରୁତା କି ଅନ୍ୟ କୌଣସି କାରଣରୁ ହୋଇପାରେ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ