କାବୁଲ: ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତିବାର୍ତ୍ତା ଲାଗି ଉଦ୍ୟମ ଜାରି ରହିଛି । ଅନ୍ୟପକ୍ଷରେ ଆଫଗାନିସ୍ତାନର ସୁରକ୍ଷାକର୍ମୀଙ୍କ ଉପରେ ଲଗାତାର ଆକ୍ରମଣ କରୁଛନ୍ତି ତାଲିବାନ ଆତଙ୍କବାଦୀ । ଏହି କ୍ରମରେ ପୁଣିଥରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ତାଲିବାନ ଆତଙ୍କବାଦୀ । ଦକ୍ଷିଣ କାନ୍ଦାହାର ପ୍ରଦେଶରେ ତାଲିବାନ ଆକ୍ରମଣରେ ଅତି କମରେ 7 ଜଣ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି । ଏନେଇ ପୋଲିସ ମୁଖ୍ୟ ତାଦିନ ଖାନ ବୁଧବାର ସୂଚନା ଦେଇଛନ୍ତି ।
ତାଲିବାନ ଆତଙ୍କବାଦୀମାନେ ସୁରକ୍ଷା ଯାଞ୍ଚ ପଏଣ୍ଟ ଉପରେ ମଙ୍ଗଳବାର ଆକ୍ରମଣ କରିଥିଲେ । ଏହାପରେ ପ୍ରଦେଶର ତଖତାପୁଲ ଜିଲ୍ଲାରେ ତାଲିବାନ ଏବଂ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହି ସଂଘର୍ଷରେ 7 ଜଣ ସୁରକ୍ଷା ବାହିନୀଙ୍କର ମୃତ୍ୟୁ ଘଟିଛି ।
ନିକଟରେ ତାଲିବାନ ଆତଙ୍କବାଦୀମାନେ ଆର୍ଗିସ୍ତାନ ଏବଂ ମାରୁଫ ଜିଲ୍ଲାର ସୁରକ୍ଷା ବାହିନୀ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ 14 ତାଲିବାନ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ଆର୍ଗିସ୍ତାନ ଏବଂ ମାରୁଫରେ ନିହତ ହୋଇଥିବା ତାଲିବାନ ଆତଙ୍କବାଦୀଙ୍କ ନିକଟରେ ପାକିସ୍ତାନୀ ପରିଚୟ ପତ୍ର ମିଳିଥିଲା ।