ଇସଲାମାବାଦ: ଇତିହାସରେ ପ୍ରଥମ ଥର ପାଇଁ ଆମେରିକାକୁ ସିଧାସଳଖ ଉଡିବ ପାକିସ୍ତାନର ବିମାନ । ବାଟରେ କୌଣସି ପ୍ରକାର ବାଧା ରହିବନି । ଏପରିକି ସୁରକ୍ଷାଜନିତ ଅନୁମତି ପାଇଁ ମଧ୍ୟ ଏହା ମଝିରେ ଅଟକିବନି ବୋଲି ଜଣାପଡିଛି ।
ଏନେଇ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ମୁଖପାତ୍ର ଅବଦ୍ଦୁଲ୍ଲା ହଫିଜ ସୂଚନା ଦେଇଛନ୍ତି । ଆମେରିକାର ଗମନାଗମନ ବିଭାଗ ଏହି ଅନୁମତି ପାକିସ୍ତାନକୁ ପ୍ରଦାନ କରିଛି । ବର୍ତ୍ତମାନ କୋଭିଡ 19 ଯୋଗୁଁ ଆମେରିକାରେ ହଜାର ହଜାର ପାକିସ୍ତାନୀ ଅଟକି ରହିଛନ୍ତି । ଏମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ହଫିଜ କହିଛନ୍ତି । ଗୋଟିଏ ମାସରେ 12ଟି ବିମାନର ଉଡାଣକୁ ଅନୁମତି ଦେଇଛି ଆମେରିକା ।
ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏୟାର ମାର୍ଶଲ ଅର୍ସଦ ମଲ୍ଲିକ ଗତ ସପ୍ତାହରେ ଏନେଇ ଟ୍ରମ୍ପ ପ୍ରଶାସନକୁ ଚିଠି ଲେଖିଥିଲେ । ଏହାସହ ଆମେରିକାରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକଙ୍କ ମୃତଦେହକୁ ମଧ୍ୟ ମାଗଣାରେ ସ୍ବଦେଶ ଅଣାଯିବ ବୋଲି ଜଣାପଡିଛି । ପୂର୍ବରୁ ଆମେରିକାରେ ପ୍ରବେଶ ପୂର୍ବରୁ ପାକିସ୍ତାନ ବିମାନ ୟୁରୋପ କିମ୍ବା ବ୍ରିଟେନରେ ସୁରକ୍ଷା କାରଣରୁ ଅଟକି ରହୁଥିଲା । ତେବେ ପ୍ରଥମ ଥର ଏହା ସିଧାସଳଖ ପ୍ରବେଶ କରିବାର ଅନୁମତି ପାଇଛି । ପୂର୍ବରୁ 15 ଦିନ ମଧ୍ୟରେ ବିଶ୍ବରୁ 20 ହଜାରରୁ ଅଧିକ ପାକିସ୍ତାନୀଙ୍କୁ ଫେରାଇ ଆଣିଛି ଏୟାରଲାଇନ୍ସ ।