ସିଓଲ: ତିକ୍ତ ହେବାରେ ଉତ୍ତର-ଦକ୍ଷିଣ କୋରିଆ ସମ୍ପର୍କ । କିଛି ବିଶ୍ବାସଘାତକଙ୍କ କାର୍ଯ୍ୟକଳାପରେ ଦକ୍ଷିଣ କୋରିଆକୁ ଦାୟୀ କହି ଉତ୍ତର କୋରିଆ ନିଜ ପ୍ରତିଶୋଧ ପରାୟଣ ଆଚରଣ ଦେଖାଇବାରେ ଲାଗିଛି । ଏହିକ୍ରମରେ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ଶାନ୍ତି ଚୁକ୍ତି ଆଧାରରେ ଶାନ୍ତି ବଜାୟ ରଖିବା ପାଇଁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜୈ-ଇନଙ୍କ ପରାମର୍ଶ ପୁଣି ବେଖାତିର କରିଛି ଉତ୍ତର କୋରିଆ ।
ଗୁରୁବାର ଦକ୍ଷିଣ କୋରିଆର କେତେକ ସେନାବିହୀନ ଅଞ୍ଚଳକୁ ଟ୍ରୁପ ପଠାଇଛି ଉତ୍ତର କୋରିଆ । ନିଜ ଧମକ ଅନୁଯାୟୀ ଏହା ସୀମାରେ ନିଜ ସେନାକୁ ସଶକ୍ତ କରିବା ପାଇଁ ସମସ୍ତ ସମ୍ଭବ ପ୍ରୟାସ ଆରମ୍ଭ କରିଛି । ବୁଧବାର ଉତ୍ତର କୋରିଆର ପିପୁଲ୍ସ ଆର୍ମିର ସାଧାରଣ ସଦସ୍ୟ ସିଭିଲ ପୋଲିସ ପୋଷ୍ଟ ସ୍ଥାପନ ପାଇଁ ସୂଚନା ଦେଇଥିଲେ । ପୂର୍ବରୁ ଇଣ୍ଟର-କୋରିଆନ ସାମରିକ ଚୁକ୍ତି ଆଧାରରେ ଏହି ପୋଷ୍ଟଗୁଡିକ ପ୍ରତ୍ୟାହାର କରାଯାଇଥିବା ବେଳେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ପୁଣି ପୋଷ୍ଟ ସ୍ଥାପନ ପାଇଁ ଆଗଭର ହୋଇଛି ଉତ୍ତର କୋରିଆ ।
ଏନେଇ ସେନା ସୂଚନା ମୁତାବକ କେତେକ ସେନାବିହୀନ ଅଞ୍ଚଳଗୁଡିକରେ ଉତ୍ତର କୋରିଆର ଟ୍ରୁପକୁ ଦେଖିବାକୁ ମିଳିଛି । ଉତ୍ତର କୋରିଆର ମୋଟ 150ଟି ଏହିପରି ପୋଷ୍ଟ ରହିଥିବା ବେଳେ 2018 ମସିହାରେ ସ୍ବାକ୍ଷରିତ ସାମରିକ ଚୁକ୍ତି ଆଧାରରେ କେତେକ ପୋଷ୍ଟକୁ ଖାଲି କରାଯାଇଥିଲା । ତେବେ ଏହି ପଦକ୍ଷେପ ପଛରେ ଉତ୍ତର କୋରିଆର କ’ଣ ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ସେପଟେ କୈସୋଙ୍ଗଠାରେ ଉଭୟ ରାଷ୍ଟ୍ର ମିଳିତ ଯୋଗାଯୋଗ କାର୍ଯ୍ୟାଳୟକୁ ଧ୍ବଂସ କରିବା ପରେ ସେଠାରେ ଏବେ ବି ଉତ୍ତର କୋରିଆର ପ୍ରାୟ 100ରୁ ଉର୍ଦ୍ଧ୍ବ ସେନା କର୍ମଚାରୀ ନିୟୋଜିତ ରହିଥିବା ଦେଖାଯାଇଛି ।
@IANS