କାଠମାଣ୍ଡୁ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ତାଙ୍କ ଦଳରେ ନେତାମାନଙ୍କ ସହିତ ଆଲୋଚନା କରିସାରିବା ପରେ ବିଶ୍ବାସ ମତର ସାମ୍ନା କରିଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସଂସଦର ବୈଠକରେ ଦେଉବା ଆସ୍ଥା ଭୋଟ୍ ଲୋଡିଥିଲେ । ଯେଉଁଥିରେ ସେ ସମୁଦାୟ ୨୭୫ ରୁ ୧୬୩ ଭୋଟରେ ଜିତିଛନ୍ତି । ଏହି ଆସ୍ଥା ଭୋଟ ଶପଥର ୩୦ ଦିନ ଭିତରେ ହିଁ କରିବାକୁ ପଡିଥାଏ ।
ସୁପ୍ରିମକୋର୍ଟ ନିର୍ଦ୍ଦେଶ କ୍ରମେ ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବାର ଏକ ସପ୍ତାହ ବିତିଯାଇଛି । କେବଳ ଆସ୍ଥା ଭୋଟରେ ତାଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ଥିଲା । ବର୍ତ୍ତମାନ ସଂସଦରେ ମୋଟ ୨୭୫ ସଦସ୍ୟ ଅଛନ୍ତି ।
ଦୀର୍ଘ ଦିନରୁ ରାଜନୈତିକ ସଙ୍କଟକ ସାମ୍ନା କରିଆସୁଥିବା ନେପାଳକୁ ତାର ନୂଆ ପ୍ରଧାନମନ୍ତ୍ରୀ ମିଳିଛି । ପଞ୍ଚମ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନେପାଳି କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା । ପଞ୍ଚମ ଥର ପାଇଁ 74 ବର୍ଷୀୟ ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଜୁଲାଇ ୧୩ରେ ଶପଥ ଗ୍ରହଣ କରିଥିଲେ ଶେର ବାହାଦୁର । ଶେର ବାହାଦୁରଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତ କରିବାକୁ ଜୁଲାଇ ୧୨ରେ ନିର୍ଦ୍ଦେଶ ଦେଇଥିଲେ ନେପାଳ ସୁପ୍ରିମକୋର୍ଟ । କେପି ଶର୍ମା ଓଲିଙ୍କୁ ହଟାଇ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ପଦରେ ଦେଉବାଙ୍କ ନାଁରେ ମୋହର ମାରିଥିଲେ ।
@ANI