କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କ୍ୟାବିନେଟ ପୁନଃଗଠନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ସେ ଦଳୀୟ ନେତାମାନଙ୍କ ସହ ପରାମର୍ଶ ନେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି।
ଓଲି ଦଳୀୟ ନେତାଙ୍କ ସହ ସେକ୍ରେଟେରିଏଟ ସଦସ୍ୟଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଥିବା କଥା ପ୍ରଧାନମନ୍ତ୍ରୀଙ୍କ ସଚିବାଳୟର ଜଣେ ଅଧିକାରୀ କହିଛନ୍ତି ।
ଅଧିକାରୀ କହିଛନ୍ତି ଯେ ‘ଆଲୋଚନା ପାଇଁ ପ୍ରସଙ୍ଗ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଆସିଥିବା ମଧ୍ୟ କୁହାଯାଇଛି। ପ୍ରଧାନମନ୍ତ୍ରୀ ସଚିବାଳୟର ସଦସ୍ୟଙ୍କ ସହ ଆଲୋଚନା କରିବେ ଓ ପରବର୍ତ୍ତୀ ନିଷ୍ପତ୍ତି ପାଇଁ ପ୍ରସ୍ତୁତ ହେବା ପାଇଁ ମନ୍ତ୍ରୀମାନଙ୍କୁ ଜଣାଇବେ ।’
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ଏକ ସୂତ୍ରରୁ କୁହାଯାଇଛି ଯେ, ଓଲି ସୋମବାର ଅପରାହ୍ନରେ କ୍ୟାବିନେଟ ବୈଠକରେ ଡକାଇଥିବା ବେଳେ ଏଥିରେ ବାଧ୍ୟତାମୂଳକ ଭାବେ ସମସ୍ତ ମନ୍ତ୍ରୀମାନଙ୍କୁ ଯୋଗ ଦେବାକୁ କୁହାଯାଇଛି ।
ବାଲୁୱାଟର ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅପରାହ୍ନରେ ମନ୍ତ୍ରୀମାନଙ୍କୁ ଡକାଯାଇଥିଲା । ଏହାପୂର୍ବରୁ ସକାଳ 9ଟା 30ରେ ଦଳର ଅନ୍ୟ ଏକ ବୈଠକ ସଚିବାଳୟରେ ବସିଥିଲା । କ୍ୟାବିନେଟ ପୁନଃଗଠନ ପୂର୍ବରୁ ଓଲି ସମ୍ଭାବ୍ୟ ପରିବର୍ତ୍ତନ ସମ୍ପର୍କରେ ଘନିଷ୍ଠ ନେତା ଏବଂ ମନ୍ତ୍ରୀମାନଙ୍କ ସହ ପରାମର୍ଶ କରିଆସୁଛନ୍ତି।
ସୂଚନାଯୋଗ୍ୟ, ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ଦଳ ମଧ୍ୟରେ ଅସନ୍ତୋଷ ରହିଛି । ଦଳର ନେତାମାନେ ଓଲିଙ୍କୁ ତାଙ୍କର ଏକପାଖିଆ ନିଷ୍ପତ୍ତି ଗ୍ରହଣ ଅଭ୍ୟାସ ଏବଂ ବିବାଦୀୟ ବିବୃତ୍ତି ପାଇଁ ସମାଲୋଚନା କରୁଛନ୍ତି।
ପ୍ରଧାନମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ପଦରୁ ଓଲିଙ୍କୁ ହଟାଇବାକୁ କରାଯାଇଥିବା ଆହ୍ବାନ ମଧ୍ୟରେ ବିବାଦର ସମାଧାନ ପାଇଁ ଏନସିପି ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଦଳୀୟ ନେତାଙ୍କ ସହ ସହମତିରେ ଗଠିତ ଟାସ୍କଫୋର୍ସର କାର୍ଯ୍ୟପନ୍ଥା ମଧ୍ୟ ଆଜିର ବୈଠକରେ ସ୍ଥିର ହେବ ବୋଲି ଆଶା କରାଯାଉଛି।
@ANI