କାବୁଲ: ଆଫଗାନିସ୍ତାନରୁ ଆମେରିକାର ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପରେ ଏବେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଦେଇଛି ତାଲିବାନ । ଆଫଗାନିସ୍ତାନର ତାଜ ଏବେ ତାଲିବାନ ହାତକୁ ଆସିବା ନେଇ ରାସ୍ତା ପରିଷ୍କାର ହୋଇସାରିଛି । ନୂଆ ସରକାରରେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ହୋଇପାରନ୍ତି ମୁଖିଆ । ଶେର ମହମ୍ମଦ ଅବାସ ଓ ମୁଲ୍ଲା ୟାକୁବଙ୍କୁ ମଧ୍ୟ ବଡ ଦାୟିତ୍ବ ମିଳିପାରେ ।
୨ରୁ ୩ ଦିନ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମଦ ୟାକୁବ ଓ ଶେର ମହମ୍ମଦ ଅବାସ ଷ୍ଟାନିକଜାଇଙ୍କୁ ସରକାରରେ ବଡ ଭୂମିକା ମିଳିବ । ସେପଟେ ଆଫଗାନିସ୍ତାନର ବର୍ତ୍ତମାନ ସମ୍ବିଧାନ ରଦ୍ଦ କରି 1964-65ର ପୁରୁଣା ସମ୍ବିଧାନ ପୂନର୍ବାର ଲାଗୁ କରିପାରେ ତାଲିବାନ । କାଣର ନୂଆ ସମ୍ବିଧାନ ବିଦେଶୀଙ୍କ ଅଧିନରେ ଗଠନ ହୋଇଥିଲା ବୋଲି ତାଲିବାନର ଧାରଣା ରହିଛି ।
ସରକାର ଗଠନକୁ ନେଇ ଗତ ୪ ଦିନରୁ କାନ୍ଦାହାରରେ ଆଲୋଚନା ଜାରି ରଖିଛନ୍ତି ତାଲିବାନୀ ନେତା । ହେଲେ ତାଲିବାନ ଏହାର କଠୋରପନ୍ଥୀ ଗୋଷ୍ଠୀଙ୍କୁ ସରକାରରେ ସାମିଲ କରିବାକୁ ଚାହୁଁନଥିବା କୁହାଯାଉଛି । ଅନ୍ୟପକ୍ଷେ ସରକାରରେ ଅଣତାଲିବାନୀ ପକ୍ଷଙ୍କୁ ଉଭୟ ସୁପ୍ରିମ କାଉନସିଲ ଓ ମନ୍ତ୍ରଣାଳୟରେ ସ୍ଥାନ ମିଳିପାରେ । ସେପଟେ ନର୍ଦ୍ଦନ ଆଲାଏନ୍ସ ଓ ତାଲିବାନ ମଧ୍ୟରେ ଆଲୋଚନାରୋ କୌଣସି ସହମତି ପ୍ରକାଶ ପାଉଛି କି ନାହିଁ ତାହା ଦେଖିବା ରୋଚକ ହେବ ।
ନିକଟରେ ଶକ୍ତି ପରିବର୍ତ୍ତନ ମଧ୍ୟରେ ଚୀନ୍ ନେତାମାନଙ୍କୁ ଭେଟିବାକୁ ବେଜିଂ ଯାଇଥିବା ବ୍ୟକ୍ତି ମଧ୍ୟ ସାମିଲଥିଲେ ମୁଲ୍ଲା ବରାଦର । 1978ରେ ଯେତେବେଳେ ତାଲିବାନ ସୋଭିଏତ୍ ବିରୁଦ୍ଧରେ ଗରିଲା ଯୁଦ୍ଧ ଆରମ୍ଭ କଲା, ସେତେବେଳେ ବରାଦର ଏଥିରେ ସକ୍ରିୟ ଭୂମିକା ଅର୍ଜନ କରିଥିସେ । ସୋଭିଏତ୍ ସୈନ୍ୟ ପ୍ରତ୍ୟାହାର ପରେ ବରାଦରଙ୍କ କ୍ଷମତା ବୃଦ୍ଧି ପାଇଲା ।
1996ରେ, ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେଲା, ଏଥିରେ ବରାଦରଙ୍କ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା | 2001ରେ ଆମେରିକାର ଆକ୍ରମଣ ପରେ ବରାଦରଙ୍କୁ ପଳାୟନ କରିବାକୁପଡିଥିଲା । 2010ରେ, ବରାଦରଙ୍କୁ କରାଚୀରୁ ଗିରଫ କରାଯାଇଥିଲା । ହେଲେ ଶାନ୍ତି ଆଲୋଚନା ପାଇଁ 2018ରେ ବରାଦରଙ୍କୁ ବନ୍ଦୀମୁକ୍ତ କରିବାକୁ ପଡିଥିଲା । ତାଲିବାନକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ କରିବା ପଛରେ ବରାଦର ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିବେଚନା କରାଯାଏ ।