ଇସଲାମାବାଦ: କୋରୋନା ସଂକ୍ରମଣର ବାହକ ସାଜିଛି ମସଜିଦ । ରମଜାନ ସମୟରେ ଘରେ ରହି ପ୍ରାର୍ଥନା କରିବାକୁ ସମସ୍ତ ମୁସଲିମ ସମ୍ପ୍ରଦାୟଙ୍କୁ ଅନୁରୋଧ କଲା ପାକିସ୍ତାନର ସର୍ବୋଚ୍ଚ ଇସଲାମିକ ମେଡିକାଲ ସଂସ୍ଥା ।
ଶନିବାର ଇସଲାମିକ ମେଡିକାଲ ଆସୋସିଏସନ( ପିଆଇଏମଏ) ସଭାପତି ଇଫତିଖର ବର୍ନି ସମସ୍ତଙ୍କୁ ଚେତାଇ ଦେଇଛନ୍ତି, ମସଜିଦରେ ସମୁହ ନମାଜ ପଢିବା ଦ୍ବାରା କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
ଗତ ଏକ ମାସ ମଧ୍ୟରେ ପାକିସ୍ତାରେ 6 ହଜାର କୋରୋନା ମାମଲା ରହିଥିଲା । ହେଲେ ଗତ 6 ଦିନ ମଧ୍ୟରେ ଏହା ଦୁଇ ଗଣ ଭାବେ ବୃଦ୍ଧି ହୋଇଛି । ଏମିତି ଯଦି ଲାଗି ରହେ ତେବେ ମେ ଓ ଜୁନ ମାସ ବେଳକୁ ପରିସ୍ଥିତି ଅଣାୟତ୍ତ ହେବ ବୋଲି କହିଛନ୍ତି ଇଫତିଖର ।
ସୂଚନାଯୋଗ୍ୟ, ରମାଜାନ ସମୟରେ ମସଜିଦରେ ପ୍ରାର୍ଥନା କରିପାରିବେ ବୋଲି ପାକିସ୍ତାନ ସରକାର ଅନୁମତି ପ୍ରଦାନ କରିଛନ୍ତି । ଯାହାକୁ ନେଇ ପାକିସ୍ତାନର ଜଣେ ଉଚ୍ଚ ପଦସ୍ଥ ଡାକ୍ତର ସରକାରଙ୍କୁ ଏନେଇ ପୁନଃ ସମୀକ୍ଷା କରିବାକୁ କହିଥିଲେ ।