କାବୁଲ: ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ଶେଷରେ ଆଫଗାନିସ୍ତାନରେ ଗଠନ ହୋଇଛି ତାଲିବାନ ସରକାର । ତାଲିବାନର ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେଉଥିବା ଶକ୍ତିଶାଳୀ ଶାଖା ରହବରୀ ଶୁରା ମୁଖ୍ୟ ମୁଲ୍ଲା ମହମଦ ହସନ ଅଖୁଣ୍ଡ ଆଫଗାନିସ୍ତାନରେ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ ହେବେ । ଘୋଷଣା ପୂର୍ବରୁ ବେଶ ଚର୍ଚ୍ଚାରେ ଥିବା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ଉପ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି ।
ଇରାନ ଢାଞ୍ଚାରେ ସରକାର ଗଠନ କରିଛି ତାଲିବାନ । ତାଲିବାନର ସର୍ବୋଚ୍ଚ ନେତା ମୁଲ୍ଲା ହିବତୁଲ୍ଲା ଅଖୁଣ୍ଡଜାଦା ଆଫଗାନିସ୍ତାନର ସୁପ୍ରିମ ଲିଡର ହେବେ ।
ମୁଲ୍ଲା ହସନ ବର୍ତ୍ତମାନ ତାଲିବାନର ନିଷ୍ପତ୍ତି ନେଉଥିବା ଶକ୍ତିଶାଳୀ ୟୁନିଟ ରହବରୀ ଶୁରା ତଥା ନେତୃତ୍ବ ପରିଷଦର ମୁଖ୍ୟ ଅଛନ୍ତି । ଏହି ୟୁନିଟ ସର୍ବୋଚ୍ଚ ନେତାଙ୍କ ଅନୁମୋଦନ ଅଧିନରେ ସମୁହର ସମସ୍ତ ମାମଲାରେ ସରକାରୀ ମନ୍ତ୍ରୀମଣ୍ଡଳ ଆଧାରରେ କାର୍ଯ୍ୟ କରିଥାଏ । ହସନ ଅଖୁଣ୍ଡ ଧାର୍ମିକ ମାମଲାରେ ବେଶ ପାରଙ୍ଗମ ଓ ସେ ପାକିସ୍ତାନରେ ଅଧ୍ୟୟନ କରିଛନ୍ତି । ଜାତିସଂଘର ପ୍ରତିବନ୍ଧିତ ଲିଷ୍ଟରେ ସାମିଲ ରହିଛି ହସନ ଅଖୁଣ୍ଡଙ୍କ ନାଁ ।
ରିପୋର୍ଟ ଅନୁଯାୟୀ, ମୁଲ୍ଲା ହସନ ତାଲିବାନର ଉତ୍ପତିସ୍ଥଳ କାନ୍ଦାହାର ସହିତ ଜଡିତ । ସେ ତାଲିବାନର ପ୍ରତିଷ୍ଠାତାଙ୍କ ମଧ୍ୟରେ ସାମିଲ । ହସନ ରହବରୀ ସୁରା ମୁଖ୍ୟ ଭାବରେ ୨୦ ବର୍ଷ କାମ କରିଛନ୍ତି ଓ ମୁଲ୍ଲା ହିବତୁଲ୍ଲାଙ୍କ ନିକଟତର ବୋଲି ତାଙ୍କୁ ବିବେଚନା କରାଯାଏ । ସେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନର ଗତ ଶାସନକାଳରେ ବୈଦେଶିକ ମନ୍ତ୍ରୀ ଓ ଉପପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ ।