ଟୋକିଓ: ବିଶ୍ବରେ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଅଦ୍ଭୁତ ତଥା ଅଜବ ପରମ୍ପରା ଓ ଉତ୍ସବ ପାଳିତ ହୋଇଥାଏ । ସେଥିମଧ୍ୟରୁ ଜାପାନର ବାର୍ଷିକ ‘ବସ୍ତ୍ରହୀନ’ ଉତ୍ସବ ଅନ୍ୟତମ । ଶନିବାର ଜାପାନର ହୋନସୁ ଦ୍ବିପରେ ଏହି ଉତ୍ସବ ପାଳିତ ବୋଇଛି ।
ଜାପାନୀ ଭାଷାରେ ଏହାର ନାମ ‘ହାଡକା ମାସ୍ତୁରୀ’ । ଜାପାନର ବାର୍ଷିକ ଉତ୍ସବ ଭାବରେ ଏହା ପ୍ରତି ବର୍ଷ ଫେବୃଆରୀ ମାସର ତୃତୀୟ ଶନିବାର ସାଇଡାଜି କାନଓନିନ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଥାଏ ।
ଶତାଧିକ ପୁରୁଷ ଏହି ଉତ୍ସବରେ ଭାଗ ନେଇଥାନ୍ତି । ସମ୍ପୂର୍ଣ୍ଣ ଉଲଗ୍ନ କିମ୍ବା ସ୍ବଳ୍ପ ବସ୍ତ୍ର ପରିଧାନ କରି ଏହି ଉତ୍ସବରେ ଭାଗ ନେଇଥାନ୍ତି ସମସ୍ତେ । ଅଧିକାଂଶ ପୁରୁଷ ଜାପାନୀ ପୋଷାକ ‘ଫୁନଡୋସୀ’ ସହ ଦୁଇ ହଳ ଧଳା ମୋଜା ପିନ୍ଧି ଉତ୍ସବରେ ଭାଗ ନେଇଥାନ୍ତି ।
ଯୁବପିଢିଙ୍କ ମଧ୍ୟରେ ଚାଷ କାମ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ । ଏହା ଆଗାମୀ ପିଢି କୃଷି ପରମ୍ପରାକୁ ବଜାୟ ରଖିବା ପାଇଁ ବାର୍ତ୍ତା ଦେଇଥାଏ ।
ଉତ୍ସବରେ ଭାଗ ନେଇଥିବା ଯୁବକ ମାନେ ପ୍ରଥମ ପର୍ଯ୍ୟାୟରେ ନିଜକୁ ଅତ୍ୟଧିକ ଥଣ୍ଡା ପାଣିରେ ଶୁଦ୍ଧପୂତ ଭାବେ ସ୍ନାନ କରାଇଥାନ୍ତି । ପରେ ମନ୍ଦିର ଚାରି ପଟେ ପରିକ୍ରମା କରିଥାନ୍ତି । ଏହା ପରେ ଆରମ୍ଭ ହୋଇଥାଏ ଏହି ଉତ୍ସବର ଅନ୍ତିମ ପର୍ବ । ଏଥିରେ ଭାଗ୍ୟଫଳ ପ୍ରଦାୟକ କାଠିକୁ ସମବେତ ଲୋକଙ୍କ ଉପରକୁ ପକାଯାଇଥାନ୍ତି ପୂଜକ । ଦୁଇ ଭାଗ୍ୟଫଳ ଶୁଭ କାଠି ସହ 100 ଅନ୍ୟ କାଠି ମଧ୍ୟ ପକାଯାଇଥାଏ । ପରେ ଶୁଭ କାଠିକୁ ହାସଲ କରିବା ପାଇଁ ଆରମ୍ଭ ହୁଏ ପ୍ରତିଯୋଗିତା । ଏହି ଉତ୍ସବକୁ ଦେଶ ବିଦେଶରୁ ଅନେକ ଲୋକ ଦେଖିବା ପାଇଁ ଆସିଥାନ୍ତି ।