ଥିମ୍ଫୁ(ଭୁଟାନ): ଭାରତ ପକ୍ଷରୁ ପଡୋଶୀ ଦେଶଙ୍କୁ ସାହାଯ୍ୟ କରିବା ପ୍ରକ୍ରିୟା ଜାରି ରହିଛି । କୋରୋନା ମୁକାବିଲା ପାଇଁ ନିଜ ପଡୋଶୀ ଦେଶଙ୍କୁ ମେଡିକାଲ ଓ ଖାଦ୍ୟ ସହାୟତା ଦେଉଛି ଭାରତ । ଏହି ଅବସରରେ ସୋମବାର ଭୁଟାନକୁ ମେଡିକାଲ ସାମଗ୍ରୀ ପଠାଯାଇଛି ।
ଭାରତର ରାଷ୍ଟ୍ରଦୂତ ରୂଚିରା କାମ୍ବୋଜ ଭୁଟାନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏହି ସାମଗ୍ରୀ ହସ୍ତାନ୍ତର କରିଥିଲେ । ଏଥିରେ ହାଇଡ୍ରୋକ୍ସିକ୍ଲୋରୋକ୍ବାଇନ ସହ କୋଭିଡ 19 ମୁକାବିଲା ପାଇଁ ସାମଗ୍ରୀ ରହିଛି । ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶ୍ବାସନା ଆଧାରରେ ସମସ୍ତ ପଡୋଶୀ ଦେଶଙ୍କୁ ଭାରତ ସହାୟତା ଯୋଗାଇ ଆସୁଛି । ନିଜ ବନ୍ଧୁ ରାଷ୍ଟ୍ରଙ୍କ ସହ ଉତ୍ତମ ସମ୍ପର୍କର ଏହା ଏକ ଅଂଶବିଶେଷ । କୋରୋନା ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବ ଭାରତ । ଏନେଇ ମୋଦି ଏପ୍ରିଲ 16ରେ ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବୋଲି ଭୁଟାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।
ତେବେ ଭୁଟାନରେ ଏପର୍ଯ୍ୟନ୍ତ 7ଟି କୋଭିଡ 19 କେସ ବାହାରିଛି । ପୂର୍ବରୁ ମୋଦିଙ୍କ ପ୍ରସ୍ତାବ କ୍ରମେ ସମସ୍ତ ସାର୍କ ସଦସ୍ୟ ରାଷ୍ଟ୍ରଗଣ ଏକ କୋଭିଡ 19 ଜରୁରୀକାଳୀନ ଫଣ୍ଡ ଖୋଲିଛନ୍ତି । ଏଥିରେ ଭୁଟାନ 1 ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରିଛି । ଏହି ସମସ୍ତ ଅର୍ଥ କୋଭିଡ 19 ମୁକାବିଲା ପାଇଁ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।