ଢାକା: ବାଂଲାଦେଶର ନାରାୟଣଗଞ୍ଜ ସ୍ଥିତ ବାଇଟସ ସଲାହ ଜାମ ମସଜିଦରେ ଗ୍ୟାସ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି । 12 ରୁ ଅଧିକ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ 7 ଜଣ ଶିଶୁ ରହିଛନ୍ତି । ଏନେଇ ଢାକା ଟ୍ରିବ୍ୟୁନାଲ ଖବର କାଗଜରେ ପ୍ରକାଶ ପାଇଛି । ଗତ ଶୁକ୍ରବାର ସନ୍ଧ୍ୟାରେ ଲୋକମାନେ ମସଜିଦରେ ଏକାଠି ପ୍ରାର୍ଥନା କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା।
ନାରାୟଣଗଞ୍ଜ ଅଗ୍ନିଶମ ବିଭାଗର ଡେପୁଟି ଆସିଷ୍ଟାଣ୍ଟ ଡାଇରେକ୍ଟର ଅବଦୁଲ୍ଲା ଅଳ ଆରେଫିନଙ୍କ ପ୍ରାଥମିକ ତଦନ୍ତ ଅନୁସାରେ, ରିପୋର୍ଟରେ ଦର୍ଶାଯାଇଛି ଯେ ଭୂତଳ ପାଇପରୁ ଗ୍ୟାସ୍ ଲିକ୍ ହୋଇ ମସଜିଦ ଭିତରେ ଜମା ହୋଇଥିଲା । ଗ୍ୟାସ ଲିକ କାରଣରୁ ଏସି ଓ ଫ୍ୟାନ ଗୁଡିକ ସର୍ଟସର୍କିଟ ହୋଇ ବିସ୍ଫୋରଣ ଘଟିଥିଲା ।
ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଶେଖ ହସିନା ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବର୍ନ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀରେ 15 ରୁ ଅଧିକ ଲୋକ ପୋଡାଜଳା ଏବଂ ଅନ୍ୟ ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡାକ୍ତର ପାର୍ଥା ଶଙ୍କରକର ପାଲ ରିପୋର୍ଟରେ ଦର୍ଶାଇଛନ୍ତି। ସେପଟେ, ସ୍ଥାନୀୟ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ