ଇସଲାମାବାଦ: ଆତଙ୍କୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ପ୍ରଶ୍ନ ଘେରରେ ପାକିସ୍ତାନ । ଟେରର ଫଣ୍ଡିଂକୁ ନେଇ ପାକିସ୍ତାନ ଦେଇଥିବା ଜବାବରେ ପାଲଟା ପ୍ରଶ୍ନ କରିଛି ଏଫଏଟିଏଫ । ଏହି ସଂସ୍ଥା ପାକିସ୍ତାନକୁ ପୁଣିଥରେ 150ଟି ପ୍ରଶ୍ନ କରିଛି । ତେବେ ଏଥିରେ ଅଧିକାଂଶ ପ୍ରଶ୍ନ ଇମ୍ରାନ ଖାନ ସରକାର ଦ୍ବାରା ନିଆଯାଇଥିବା ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ରହିଛି । ପାକିସ୍ତାନକୁ ଏହି ସବୁ ପ୍ରଶ୍ନର ଉତ୍ତର ଜାନୁଆରୀ 8 ମଧ୍ୟରେ ଦେବାକୁ ହେବ ।
ଏହା ପୂର୍ବରୁ ପାକିସ୍ତାନ ଏଫଏଟିଏଫ ଦ୍ବାରା ପଚରାଯାଇଥିବା 22ଟି ପ୍ରଶ୍ନର ଉତ୍ତର ଡିସେମ୍ବର 7 ତାରିଖରେ ରଖିଥିଲା । ଏହି ଜବାବ ଆଧାରରେ ଏଫଏଟିଏଫ ପାକିସ୍ତାନକୁ ଆଉ 150ଟି ପ୍ରଶ୍ନ କରିଛି ।
ସୂଚନାଯୋଗ୍ୟ ଯେ, ଏଫଏଟିଏଫର ବୈଠକ ଆସନ୍ତା ବର୍ଷ ଫେବୃଆରୀରେ ଅନୁଷ୍ଠିତ ହେବ, ଯେଉଁଥିରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ । ତାକୁ ବ୍ଲାକ ଲିଷ୍ଟରେ ରଖାଯିବ ନା ନାହିଁ ତାହା ଏହି ବୈଠକରେ ନିଷ୍ପତ୍ତି ନିଆଯିବ । ଗତ ବର୍ଷ ଫେବୃଆରୀରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯାଇଥିଲା । ତେବେ ପାକିସ୍ତାନକୁ ବ୍ଲାକ ଲିଷ୍ଟରେ ରଖାଯିବ କି ନାହିଁ ତାହା ଏହି ପ୍ରଶ୍ନର ଉତ୍ତର ଆଧାରରେ ନିର୍ଦ୍ଧାରଣ ହେବ ।