ଦୁବାଇ: ୟୁଏଇ ବିମାନ କମ୍ପାନୀ ଏମିରେଟ୍ସ ନିଜ ବିମାନ ସେବା ପାକିସ୍ତାନରୁ ବାତିଲ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହା ସମ୍ପର୍କରେ କମ୍ପାନୀ ଘୋଷଣା କରିଛି । ତେବେ ଏହା ସାମୟିକ ବୋଲି ଏଥିରେ କୁହାଯାଇଛି ।
ଜୁନ୍ 24 ଭୋର 4ଟାରୁ ଏହି ନିୟମ ଲାଗୁ ହୋଇଛି । ଆଗାମୀ ସପ୍ତାହର ପ୍ରାରମ୍ଭ ଯାଏଁ ଏମିରେଟ୍ସ ନିଜର ଯାତ୍ରୀ ପରିବହନ ସେବା ବନ୍ଦ କରିଛି । ଏଥିପାଇଁ କମ୍ପାନୀ ଦୁଃଖିତ ବୋଲି ଏହାର ମୁଖପାତ୍ର ଏକ ପ୍ରେସ ରିଲିଜରେ କହିଛନ୍ତି । କମ୍ପାନୀ ଏବେ ପାକିସ୍ତାନକୁ ବିମାନ ସେବା ଚାଲୁ ରଖିଛି । ହେଲେ ଏହି ଦେଶରୁ ବାହାରକୁ ଉଡାଣ ବର୍ତ୍ତମାନ ସାମୟିକ ଭାବେ ବନ୍ଦ କରିଛି ।
ତେବେ ଏହି ପ୍ରେସ ରିଲିଜରେ କୁହାଯାଇଛି ଯେ ପୂର୍ବ ଘୋଷଣା ଅନୁସାରେ ଏମିରେଟ୍ସ ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ ବିମାନ ସେବା ଜାରି ରଖିବ । ୟୁଏଇ ଓ ଦୁବାଇରୁ ଆସୁଥିବା ଯାତ୍ରୀଙ୍କୁ ଏହା ପାକିସ୍ତାନ ଆଣିବ । କିନ୍ତୁ ଏଠାରୁ କୌଣସି ଯାତ୍ରୀଙ୍କୁ ବିଦେଶ ନେବ ନାହିଁ ବୋଲି ସ୍ପଷ୍ଟ କରିଛି । ଏହାସହ ୟୁଏଇ, ପାକିସ୍ତାନ ଏବଂ ବିଶ୍ବର ଅନ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ବାଣିଜ୍ୟ କାରବାର ପାଇଁ କାର୍ଗୋ ସେବା ମଧ୍ୟ ଜାରି ରହିବ ବୋଲି ଏମିରେଟ୍ସ ପ୍ରକାଶ କରିଛି ।
ସୂଚନାଯୋଗ୍ୟ ଯେ ପାକିସ୍ତାନ ସରକାର ଅନ୍ତର୍ଜାତୀୟ ବିମାନ ସେବାକୁ ବର୍ତ୍ତମାନ ପାଇଁ ଅନୁମତି ଦେଇଛନ୍ତି । ଖୁବ୍ ଶିଘ୍ର ଏହି ବିମାନ ସେବା ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବୁ ବୋଲି ଏମିରେଟ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଯେଉଁମାନେ ବୁକିଂ କରିଥିବେ ସେମାନେ କମ୍ପାନୀର ପ୍ରତିନିଧିଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ଏହା କହିଛି ।