ନୂଆଦିଲ୍ଲୀ: ଚୀନରୁ ଦ୍ରୁତ ଗତିରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗୁଛି ମାରାତ୍ମକ କୋରୋନା ଭାଇରସ। ଏବେ ସମଗ୍ର ବିଶ୍ବ ପାଇଁ ଭୟଙ୍କର ବିପଦ ସୃଷ୍ଟି କରୁଛି ଏହି ଭୂତାଣୁ। ଏଯାବତ ଏହି ଭାଇରସ କବଳରେ ପଡି 25ରୁ ଉର୍ଦ୍ଧ୍ବଙ୍କ ପ୍ରାଣ ଯାଇଥିବା ବେଳେ 800 ସଂକ୍ରମିତ ଅଛନ୍ତି। ଏବେ ଏହି ବିକଟ ଭାଇରସର ଉତ୍ପଳି ସ୍ଥଳ କୁହାଯାଉଥିବା ବୁହାନ୍ ସହରରେ 20 କେରଳ ଛାତ୍ରଙ୍କ ସମେତ ମୋଟ 25 ଭରତୀୟ ଛାତ୍ର ଫସି ରହିଥିବା ସୂଚନା ରହିଛି । ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଚିଠି ଲେଖି ଛାତ୍ରଙ୍କୁ ସହାୟତା କରିବା ପାଇଁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୋରୋନା ଭାଇରସ ସମ୍ବନ୍ଧରେ ହେବାଇ ପ୍ରାନ୍ତରେ ରହୁଥିବା ଭାରତୀୟଙ୍କ ଠିକଣା ଜାଣିବା ପାଇଁ ଭାରତରେ ଥିବା ସେମାନଙ୍କ ପରିଜନଙ୍କୁ ସୂଚନା ମଗାଯାଉଛି । ଏଥିପାଇଁ ଭାରତୀୟ ଦୂତାବାସ ପକ୍ଷରୁ ହଟଲାଇନ ଜାରି କରାଯାଇଛି । +8618612083629 ଓ +8618612083617 ଜାରି କରାଯାଇଛି।
ସୂଚନା ଅନୁସାରେ ଭାଇରସ୍ ବ୍ୟାପୁଥିବା ଯୋଗୁଁ ଚୀନ ସରକାର ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଚୀନର 5ଟି ସହର ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଉହାନ୍ , ହୁଆଗାଙ୍ଗ୍, ଇଜୋଉ, କ୍ବିନାଜିଆଙ୍ଗ ଓ ଝିଜିୟାଙ୍ଗ ସହରରେ ସାର୍ବଜନୀନ ପରିବହନ ଏବଂ ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଛି। ଉହାନ୍ରେ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଉହାନରେ ଆଜି ସକାଳୁ ସମସ୍ତ ଗମନାଗମନ ନେଟୱର୍କ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଲୋକଙ୍କୁ ସହର ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ଭାଇରସ ଆତଙ୍କରୁ ବର୍ତ୍ତିବା ପାଇଁ ଚୀନ ମାତ୍ର 6ଦିନରେ ଏକ ଅତ୍ୟାଧୁନିର ହସ୍ପିଟାଲ ନିର୍ମାଣ କରିସାରିଲାଣି ।
ସେହିପରି ସାଉଦି ଆରବରେ ଜଣେ କେରଳ ନର୍ସ ଆକ୍ରାନ୍ତ ହେବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ସାଉଦିରେ କାର୍ଯ୍ୟରତ ପ୍ରାୟ ୧୦୦ ଭାରତୀୟ ନର୍ସଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।