ବେଜିଂ: ମାତ୍ର କେଇ କ୍ଷଣ ମଧ୍ୟରେ ଗୋଟିଏ ଭୂତାଣୁର ପ୍ରକୋପରେ ଆଣ୍ଠେଇଛି ସାରା ବିଶ୍ବ । ଆଖି ପିଛୁଳାକେ ଖେଳି ଯାଇଛି ହାହାକାର । ବିଶ୍ବବାସୀ ଏଥିରେ ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଏବେ ବି ନିଜ ଦୋଷ ମାନିବାକୁ ନାରାଜ ଚୀନ । ଏବେ ବି ନିଜ ମୁଣ୍ଡରୁ ଦୋଷ କାଢିବା ପାଇଁ କରିଚାଲିଛି ବାହାନା । ଲୁଚାଇବାରେ ଲାଗିଛି ଏହି ମହାମାରୀ ରୋକିବାରେ ନିଜର ଅସଫଳତା ।
ଏହି ମହାମାରୀର ଅୟମାରମ୍ଭ 2019ରୁ ହିଁ ଚୀନରେ ହୋଇ ସାରିଥିଲା । ଏନେଇ କିଛି ଡାକ୍ତର ଖୋଲା ଖୋଲି ଭାବେ ଆଗକୁ ଆସିବାକୁ ଥିବା ପରିଣାମର ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ସମସ୍ତ ଚେତାବନୀ, ସମସ୍ତ ଆଶଙ୍କାକୁ ଆଡ ଆଖିରେ ନଜର ଦେଇନଥିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଏନେଇ ୟୁନିଭର୍ସିଟି ଅଫ ସାଉଥମ୍ପଟନ ଦ୍ବାରା ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ପରିସ୍ଥିତ ଏପରି ନଥିଲା କି ଚୀନ ଏନେଇ କୌଣସି ଚେତାବନୀ ମିଳିନଥିଲା ।
ଏନେଇ ଚାଇନିଜ କମ୍ୟୁନିଷ୍ଟ ପାର୍ଟି ମଧ୍ୟ ଚେତାବନୀ ସ୍ବରୂପ କହିଥିଲା କି ଆଗକୁ କିଛି ଭୟଙ୍କର ହେବା ନେଇ ପ୍ରତୀତ ହେଉଛି । ମେଡିକାଲ କର୍ମଚାରୀଙ୍କ କହିବା ମୁତାବକ ଏହି ବିପଦ ପ୍ରଳୟଙ୍କରୀ ହୋଇପାରେ । ହେଲେ ଏସବୁ ଶୁଣିବା ପରେ ବି ବେଶ ଚତୁରତାର ସହ ବିଷୟକୁ ଏଡାଇଥିଲେ ରାଷ୍ଟ୍ରପତି । ଡାକ୍ତରମାନଙ୍କ ଚେତାବନୀ ପରେ ନୂଆବର୍ଷରେ ରାଷ୍ଟ୍ରପତି ଜନତାଙ୍କୁ ଉଦବୋଧନ ଦେଇଥିଲେ । ଯେଉଁଥିରେ ସାମିଲ ହୋଇଥିଲେ ହଜାର ହଜାର ନାଗରିକ ।
ସେପଟେ ଉହାନରେ କୋରୋନା ଗ୍ରାସି ଚାଲିଥିଲା ଗୋଟିଏ ପରେ ଗୋଟିଏ ଜୀବନ । ଆଖି ପିଛୁଳାକେ ଏହା ନିଆଁ ପରି ସାରା ଦେଶରେ ବ୍ୟାପିଥିଲା ଏବଂ କିଛି ଭାବିବା ପୂର୍ବରୁ ଏହା ସାରା ବିଶ୍ବରେ ପହଞ୍ଚିଥିଲା । ଯାହା ଚୀନର ଖାମଖିଆଲ ମନୋଭାବ ଓ ବୈଶୟିକ ସଙ୍କଟରେ ପରିଣତ ହୋଇଥିବା ମହାମାରୀ କୋରୋନା ପ୍ରତି ଅବହେଳାର ସଫା ଦୃଶ୍ୟ ।