ୱାଶିଂଟନ: ତାଲିବାନ ଦେଖାଉଛି ନାଲିଆଖି । ଧର୍ମସଙ୍କଟରେ ପଡିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଗୋଟିଏ ପକ୍ଷେ ଆଫଗାନିସ୍ତାନର ସ୍ଥିତିକୁ ଦେଖି ଆମେରିକା ସୈନ୍ୟଙ୍କୁ ଆଉ କିଛି ଦିନ ଏଠାରେ ରହିବାକୁ ଦିଆଯାଉ ବୋଲି ଦାବି ଉଠୁଥିବାବେଳେ, ସେପଟେ ତାଲିବାନ ଆମେରିକାକୁ ଦେଇଛି ଚେତାବନୀ । ଏହାରି ମଧ୍ୟରେ ତାଲିବାନୀ ନେତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ସହ ଗୋପନୀୟ ବୈଠକ କରିଛନ୍ତି ଆମେରିକା ଗୁଇନ୍ଦା ସଂସ୍ଥା(CIA) ମୁଖ୍ୟ ବିଲିୟନ ବର୍ନସ ।
ଆଫଗାନିସ୍ତାନ କବଜା ପରେ ତାଲିବାନ ଓ ବାଇଡେନ ପ୍ରଶାସନ ମଧ୍ୟରେ ଏହା ସର୍ବୋଚ୍ଚସ୍ତରୀୟ ବୈଠକ ବୋଲି କୁହାଯାଉଛି । ଆଫଗାନିସ୍ତାନରେ ଫସିଥିବା ହଜାର ହଜାର ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଆମେରିକା । ହେଲେ ସୋମବାର ଆମେରିକାକୁ ଚେତାବନୀ ଦେଇଛି ତାଲିବାନ । କୌଣସି ବି ପରିସ୍ଥିତିରେ ୩୧ ଅଗଷ୍ଟ ସୁଦ୍ଧା ନିଜ ସୈନ୍ୟ ପ୍ରତ୍ୟାହାର କରିନେବାକୁ ଧମକ ଦେଉଛନ୍ତି ତାଲିବାନ ଆତଙ୍କୀ ।
ବିଲିୟନ ବର୍ନସ ବାଇଡେନ ସରକାରରେ ସବୁଠୁ ଅନୁଭବୀ ରାଷ୍ଟ୍ରଦୂତ । ଅନ୍ୟପକ୍ଷେ ସବୁଠୁ ବଡ ନେତା ମଧ୍ୟରେ ପରିଗଣିତ ହେଉଛନ୍ତି ଅବଦୁଲ ଘନି ବରାଦର । କାତାରସ୍ଥିତ ତାଲିବାନ ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଦାୟିତ୍ବ ବରାଦର ହିଁ ସମ୍ଭାଳୁଛନ୍ତି । ସେପଟେ କିନ୍ତୁ ତାଲିବାନ ସହ ଏହି ଗୁପ୍ତ ବୈଠକକୁ ନେଇ ସମ୍ବାଦ ସରବାର ସଂସ୍ଥା ଏଏଫପିକୁ ବୟାନ ଦେଇ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସିଆଇଏ ମୁଖପାତ୍ର ।
ଆମେରିକା ସମ୍ବାଦପତ୍ର ଏହି ବୈଠକକୁ ନେଇ ସୂଚନା ଦେଇଥିଲା । ହେଲେ ଏହି ବୈଠକକୁ ନେଇ କୌଣସି ବିଷୟ ଉପରେ ଚର୍ଚ୍ଚା ହୋଇନାହିଁ । ଏହା ଉପରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ସମ୍ଭବତଃ ଏହି ବୈଠକରେ ଆଫଗାନିସ୍ତାନରୁ ଆମେରିକା ନାଗରିକଙ୍କୁ ଉଦ୍ଧାର ପାଇଁ ଦିଆଯାଇଥିବା ଡେଡଲାଇନ ସମ୍ପର୍କରେ ଆଲୋଚନା ହୋଇଥାଇ ପାରେ ବୋଲି କୁହାଯାଉଛି ।