ତାଇପି: ବିଶ୍ବରେ ଦେଖାଦେଇଥିବା କୋରୋନା ସଙ୍କଟ ସମୟରେ ବି ସୁଧୁରୁନି ଡ୍ରାଗନ ଚୀନ । ନା ନିଜେ ଶାନ୍ତିରେ ରହୁଛି ନା ନିଜ ପଡୋଶୀଙ୍କୁ ଶାନ୍ତିରେ ରହିବାକୁ ଦେଉଛି । ଗୋଟିଏ ପଟେ ଚୀନ ସେନା ଏଲଏସିରେ ଭାରତୀୟ ସେନାଙ୍କ ସହ ସଂଘର୍ଷ କରୁଛନ୍ତି । ଅନ୍ୟପକ୍ଷରେ ଚୀନର ଯୁଦ୍ଧ ବିମାନ ବାରମ୍ବାର ତାଇବାନରେ ଅନୁପ୍ରବେଶ କରୁଛି ।
ଗୁରୁବାର ଚୀନ ଏୟାର ଫୋର୍ସର ଯୁଦ୍ଧ ବିମାନ ପୁଣିଥରେ ତାଇବାନ ଏୟାରସ୍ପେସରେ ଅନୁପ୍ରବେଶ କରିଛି । ଗତ 10 ଦିନ ମଧ୍ୟରେ ଚୀନର ଏହି ଯୁଦ୍ଧ ବିମାନ ପଞ୍ଚମ ଥର ପାଇଁ ତାଇବାନ କ୍ଷେତ୍ରରେ ପ୍ରବେଶ କରିଥିବା ଜଣାପଡିଛି । ତେବେ ଏହାକୁ ନେଇ ଚୀନ ଏବଂ ତାଇବାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି ।
ତାଇବାନ ଏୟାର ଫୋର୍ସର କହିବା ଅନୁଯାୟୀ, ଚୀନର ଯୁଦ୍ଧ ବିମାନ ଜେ-10 ଏବଂ ଜେ-11 ତାଇବାନର ଦକ୍ଷୀଣ ପଶ୍ଚିମ ଅଞ୍ଚଳର ଏୟାରସ୍ପେଶରେ ଅନୁପ୍ରବେଶ କରିଛି । ନିୟମିତ ପାଟ୍ରୋଲିଂ କରୁଥିବା ତାଇବାନର ଯୁଦ୍ଧ ବିମାନ ରେଡିଓ ମାଧ୍ୟମରେ ଏନେଇ ଚୀନକୁ ଚେତାବନୀ ଦେଇଥିଲେ । ଏହାପରେ ଚୀନର ଉଭୟ ଯୁଦ୍ଧ ବିମାନ ତାଇବାନ ଏୟାର ଡିଫେନ୍ସ ଜୋନରୁ ବାହାରି ଯାଇଥିଲା । ତେବେ ଜୁନ 9 ତାରିଖରୁ ଏବେସୁଦ୍ଧା ଚୀନ 5 ଥର ଏଭଳି ଭାବରେ ତାଇବାନରେ ଅନୁପ୍ରବେଶ କରିବାକୁ ପ୍ରୟାସ କରିଛି । ହେଲେ ପ୍ରତିଥର ତାଇବାନର ଯୁଦ୍ଧ ବିମାନ ତାକୁ ବାହାର କରିଦେଇଛି ।
ସୂଚନାଯୋଗ୍ୟ ଯେ, ଚୀନ ଏହି ଗଣତାନ୍ତ୍ରିକ ଆଇଲ୍ୟାଣ୍ଡକୁ ନିଜର ବୋଲି ଦାବି କରୁଛି । କିନ୍ତୁ ଚୀନ ପକ୍ଷରୁ ଏନେଇ ସାର୍ବଜନୀନ ବୟାନ ଦିଆଯାଇନାହିଁ ।