ତାଇପେଇ : ଆମେରିକା ଏବଂ ଚୀନ ପାଇଁ ଯୁଦ୍ଧକ୍ଷେତ୍ର ପାଲଟିଥିବା ତାଇୱାନରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ଆମେରିକାର ସ୍ବାସ୍ଥ୍ୟ ଏବଂ ମାନବ ସେବା ମନ୍ତ୍ରୀ ଆଲେକ୍ସ ଆଜାରଙ୍କ ନେତୃତ୍ବରେ ରବିବାର ଆମେରିକାର ଏକ ବରିଷ୍ଠ ଦଳ ତାଇୱାନ ପହଞ୍ଚିଥିଲେ । ଯାହା ଚୀନ ଆଖିକୁ ଖଟକିଥିଲା । ଏଥିରେ ରାଗିଯାଇ ଚୀନ ସୋମବାର ସକାଳେ ତାଇୱାନରେ ଯୁଦ୍ଧ ବିମାନ ଅନୁପ୍ରବେଶ କରାଇ ତାଇୱାନକୁ ଡରାଇବାକୁ ଚେଷ୍ଟା କରିଥିଲା । ଚୀନର ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରେଟ୍ ମିଡ୍ ଲାଇନ୍ ଅତିକ୍ରମ କରିଥିଲା । ସେପଟେ ତାଇୱାନ କ୍ଷେପଣାସ୍ତ୍ର ନିକ୍ଷେପ କରି ଚୀନ ବିମାକୁ ସେଠାରୁ ଘଉଡାଇ ଦେଇଥିବା ଜଣାପଡିଛି ।
ଚାରି ଦଶନ୍ଧି ପରେ, ଏହି ସ୍ତରର ଏକ ସରକାରୀ ଗୋଷ୍ଠୀ ତାଇୱାନରେ ପହଞ୍ଚିଥିଲେ, ଯାହାକୁ ଚୀନ କଡା ନିନ୍ଦା କରିଛି। ତାଇୱାନ ଉପରେ ଚୀନ ନିଜର ହକ୍ ଜାରି ରଖିଛି। ତେବେ ଆଜାର ସୋମବାର ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ-ୱେନଙ୍କୁ ଭେଟିବାର କିଛି ସମୟ ପୂର୍ବରୁ ଚୀନର J-11 ଏବଂ J-10 ବିମାନ ତଇୱାନରେ ଅନୁପ୍ରବେଶ କରିଥିଲା ।
ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ଏକ ବିବୃତ୍ତିରେ ବାୟୁସେନା କହିଛି ଯେ, ଚୀନ ବିମାନ ଉପରେ ଭୂମି ଉପରୁ ଆକ୍ରମଣ କରୁଥିବା ଆଣ୍ଟି-ଏୟାରକ୍ରାଫ୍ଟ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା । ତେବେ 2016 ପରଠାରୁ ତୃତୀୟ ଥର ପାଇଁ ଚୀନର ଯୁଦ୍ଧ ବିମାନ ଏହି ଲାଇନ ଅତିକ୍ରମ କରିଛି।
ତେବେ ବେଜିଂ ସହ ଜାରି ବିବାଦ ମଧ୍ୟରେ ଟ୍ରମ୍ପ ପ୍ରଶାସନ ଡେମୋକ୍ରାଟିକ୍ ଦ୍ବୀପକୁ ଦୃଢ ସମର୍ଥନ ଦେଇଛି ଏବଂ ଅସ୍ତ୍ର ବିକ୍ରୟକୁ ଅନୁମୋଦନ କରିଛି। ତେବେ ତାଇୱାନ ସହ ଆର୍ଥିକ ଏବଂ ସ୍ବାସ୍ଥ୍ୟ ସହଯୋଗକୁ ମଜବୁତ କରିବା ଏବଂ କୋରୋନା ଭାଇରସ ସଂକ୍ରମଣ ବିରୋଧରେ ଆନ୍ତର୍ଜାତୀୟ ଲଢେଇରେ ତାଇୱାନର ଭୂମିକାକୁ ସମର୍ଥନ କରିବା ପାଇଁ ଆଜର ତାଇୱାନ ଗସ୍ତ କରିଛନ୍ତି ।