ବେଜିଂ: ଜନସଂଖ୍ୟା ବଢିବା ଦିଗରେ ଗତି ହ୍ରାସ କାରଣରୁ ଚିନ୍ତିତ ଚୀନ ସରକାର ଏକ ବଡ ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ ପରିବାର ନିୟୋଜନ ନିୟମକୁ କୋହଳ ନେଇ ଘୋଷଣା କରିଛନ୍ତି ଚୀନ ସରକାର । ସୋମବାର ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଏବେ ଚୀନରେ ଦମ୍ପତି 3 ଶିଶୁ ଜନ୍ମ କରିବେ । ପୂର୍ବରୁ ଚୀନରେ କେବଳ 2ଟି ଶିଶୁ ଜନ୍ମ କରିବାର ଅନୁମତି ଥିଲା ।
ନିକଟରେ ଚୀନର ଜନସଂଖ୍ୟା ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଚୀନରେ ଜନସଂଖ୍ୟାର ଏକ ବଡ ଅଂଶ ବୃଦ୍ଧାବସ୍ଥାରେ ଉପନୀତ ହୋଇଛି । ଏଭଳିସ୍ଥିତିରେ ଭବିଷ୍ୟତ ଚିନ୍ତାକୁ ଦୃଷ୍ଟିରେ ରଖି ଚୀନକୁ ଏହି ପଦକ୍ଷେପ ନେବାକୁ ପଡିଛି ।
ଚୀନ ମିଡିଆ ଅନୁଯାୟୀ, ନୂଆ ନୀତିକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଞ୍ଜୁରୀ ମିଳିଯାଇଛି । ଅର୍ଥାତ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଟୁ-ଚାଇଲ୍ଡ ପଲିସିକୁ ଏବେ ଚୀନରେ ଶେଷ କରିଦିଆଯାଇଛି ।
ଚୀନର ଜନସଂଖ୍ୟା ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧିରେ ଦେଶରେ ଶିଶୁଙ୍କ ଜନ୍ମ ହାର ସର୍ବନିମ୍ନ ରହିଥିଲା । ଏହାର ମୁଖ୍ୟ କାରଣ ଚୀନର ଟୁ-ଚାଇଲ୍ଡ ପଲିସି ବୋଲି କୁହାଯାଉଛି ।
ରିପୋର୍ଟ ଅନୁଯାୟୀ, 2010ରୁ 2020 ମଧ୍ୟରେ ଚୀନରେ ଜନସଂଖ୍ୟା ବୃଦ୍ଧି ହାର 0.53 ପ୍ରତିଶତ ରହିଥିଲା । ସେହିପରି 2000ରୁ 2010 ମଧ୍ୟରେ ଏହି ହାର 0.57 ପ୍ରତିଶତ ରହିଥିଲା । କେବଳ ଏତିକି ନୁହେଁ, ରିପୋର୍ଟରେ କୁହାଯାଇଛି ଯେ 2020ରେ ଚୀନରେ କେବଳ 12 ମିଲିୟନ ଶିଶୁ ଜନ୍ମ ନେଇଛନ୍ତି । ଅନ୍ୟପକ୍ଷେ 2016ରେ ଏହି ସଂଖ୍ୟା 18 ମିଲିୟନ ରହିଥିଲା । ଅର୍ଥାତ ଚୀନରେ 1960 ପରଠୁ ଶିଶୁଙ୍କ ଜନ୍ମ ହେବାର ସଂଖ୍ୟା ସର୍ବନିମ୍ନରେ ପହଞ୍ଚିଛି ।