ଢାକା: ୟୁରୋପ ପରେ ଏସିଆରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଭାରତ, ପାକିସ୍ତାନ, ବାଂଲାଦେଶ ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ କ୍ଷେତ୍ରରେ ଚୀନକୁ ଟପିଯାଇଛି ବାଂଲାଦେଶ । ରିପୋର୍ଟ ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 2856 ମାମଲା ସ୍ପଷ୍ଟ ହୋଇଛି । ସେହିପରି 44 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ପଡୋଶୀ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 84 ହଜାର 379 ପହଞ୍ଚିଛି ।
ତେବେ ବାଂଲାଦେଶ ଚୀନକୁ ପଛରେ ପକାଇ 18 ତମ ସ୍ଥାନକୁ ଉଠିଛି । ଚୀନରେ ଏବେ ସୁଦ୍ଧା 83 ହଜାର 75 କେସ ରହିଛି । ତେବେ ଏଠାରେ ମୃତ୍ୟୁ ସଂଖ୍ୟା ବାଂଲାଦେଶ ଅପେକ୍ଷା 4 ଗୁଣା ଅଧିକ ରହିଛି । ବାଂଲାଦେଶରେ ମୃତ୍ୟୁ ସଂଖ୍ୟା 1139 ଥିବାବେଳେ ଚୀନରେ 4634 ରହିଛି ।
ଗତ 2 ଦିନ ଭିତରେ ଦେଶରେ 14 ହଜାର 35 ସାମ୍ପଲ ସଂଗ୍ରହ ହୋଇଛି । ଏଥିରୁ ଶୁକ୍ରବାର 21.71 ପ୍ରତିଶତ ଏବଂ ଶନିବାର 20.94 ପ୍ରତିଶତ ପଜିଟିଭ ବାହାରିଛି । ଏବେ ସୁଦ୍ଧା 4 ଲକ୍ଷ 89 ହଜାର 960 ସାମ୍ପଲ ପରୀକ୍ଷା ସରିଛି । ସେହିପରି ଶନିବାର 578 ଲୋକ ଏଥିରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ମୋଟ୍ 17 ହଜାର 827 ଆକ୍ରାନ୍ତ କୋରୋନାରୁ ସୁସ୍ଥ ହୋଇସାରିଲେଣି । ଗତ 24 ଘଣ୍ଟାରେ 496 ଲୋକ ଆଇସୋଲେସନରେ ଭର୍ତ୍ତି ହୋଇଥିବାବେଳେ 168 ଜଣ ରିଲିଜ ହୋଇଛନ୍ତି । ଏବେ ସୁଦ୍ଧା 9340 ଲୋକ ଆଇସୋଲେସନରେ ରହି ସାରିଛନ୍ତି । ସେହିପରି 60 ହଜାର 785 ଲୋକ ଏପର୍ଯ୍ୟନ୍ତ କ୍ବାରେଣ୍ଟାଇନରେ ରହିଛନ୍ତି । ପ୍ରକାଶ ଥାଉ କି ଦିନକ ପୂର୍ବରୁ ବାଂଲାଦେଶରେ ସର୍ବଧିକ 3471 ଆକ୍ରାନ୍ତ ବାହାରିଥିଲେ ।