କାବୁଲ: ମହାମାରୀ ସମୟରେ ପ୍ରକୃତିର ତାଣ୍ତବ । ଆଫଗାନିସ୍ଥାନର କମଦିସ ଜିଲ୍ଲାରେ ବନ୍ୟା ଯୋଗୁଁ ୧୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଆହତ ହୋଇଛନ୍ତି । ଏହାସହ ୧୨ ଜଣ ଏବେବି ନିଖୋଜ ରହିଛନ୍ତି । ବୁଧବାର ଦିନ ନୁରିସ୍ତାନ ପ୍ରଦେଶର କାମଡିଶ ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବନ୍ୟା ଦ୍ବାରା 12 କିଲୋମିଟର ରାସ୍ତା ନଷ୍ଟ ହୋଇଥିବା ବେଳେ 173ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ନୁରିସ୍ତାନ ପ୍ରଦେଶର କେତେକ ଆଇନ ପ୍ରଣୟନକାରୀ କହିଛନ୍ତି, ଯେ ବନ୍ୟା ପ୍ରଭାବିତ ବାସିନ୍ଦାଙ୍କୁ ଜରୁରୀ ସହାୟତା ଆବଶ୍ୟକ। ଆଇନ ପ୍ରଣୟନକାରୀମାନେ ଦାବି କରିଛନ୍ତି ଯେ ତାଲିବାନ ପୀଡ଼ିତାଙ୍କ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। କିନ୍ତୁ ତାଲିବାନ କହିଛି ଯେ ଏହା ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାରୀ ବାହିନୀ ଅନୁପ୍ରବେଶକୁ ରୋକିଛି।
ଏନେଇ ନ୍ୟୁରିସ୍ତାନର ଜଣେ ସାଂସଦ ଇସମାଇଲ ଆଟିକାନ ପ୍ରତିକ୍ରିୟା ରଖିଛନ୍ତି । ବନ୍ୟା ଯୋଗୁଁ ଲୋକମାନେ ନିଜର ସର୍ବସ୍ବ ହରାଇଛନ୍ତି । ଗମ୍ଭୀର ସ୍ଥିତିରେ ରହିଛନ୍ତି । ସେମାନଙ୍କୁ ଜରୁରୀ ସହାୟତା ଆବଶ୍ୟକ ରହିଛି । ନ୍ୟୁରିସ୍ତାନ ରାଜ୍ୟପାଳ ହାଫିଜ ଅବଦୁଲ କାୟୁମ କହିଛନ୍ତି ଯେ, ପ୍ରଭାବିତ ପରିବାରଙ୍କ ମଧ୍ୟରୁ କେତେକଙ୍କୁ ସରକାର ସହାୟତା ଯୋଗାଇ ଦେଇଛନ୍ତି । ଉଦ୍ଧାରକାରୀ ଦଳ ସେଠାକୁ ପଠାଯାଇଛି । କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ବନ୍ୟା ପ୍ରଭାବିତ ଲୋକଙ୍କୁ ତମ୍ବୁ, ଶଯ୍ୟା ଏବଂ ରୋଷେଇ ଘର କିଟ ମଧ୍ୟ ଯୋଗାଇ ଦିଆଯିବ ।
ଗତ ମାସରେ ଆଫଗାନିସ୍ତାନର ପଶ୍ଚିମ ପ୍ରଦେଶର ହେରାଟ ପ୍ରାନ୍ତରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ଫଳରେ 12 ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ବନ୍ୟାରେ ଜିଲ୍ଲାର ଦଶହଜାର ଘର ଏବଂ ବଗିଚା ନଷ୍ଟ ହୋଇଯାଇଥିଲା । ଏବଂ ଅନେକ ଜିଲ୍ଲାର ସଡକ ବନ୍ଦ ହୋଇଯାଇଥିଲା।
@ANI