ଇସଲାମାବାଦ: ପାକିସ୍ତାନ ପଞ୍ଜାବ ପ୍ରାନ୍ତର ଶେଖପୁରା ନିକଟରେ ଶୁକ୍ରବାର ରେଲୱେ କ୍ରସିଂ ଅତିକ୍ରମ କରିବା ବେଳେ ବଡ଼ଧରଣର ଦୁର୍ଘଟଣା ଘଟିଛି । ଏକ ମିନି ବସ ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନ ସହ ଧକ୍କା ହୋଇଛି । ଘଟଣାରେ ଅତିକମରେ 29 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 8 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଇଟିପିବି ମୁଖପାତ୍ର ଆମୀର ହାଶ୍ମି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଧକ୍କାରେ ଅତି କମରେ 29 ଜଣଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ଶିଖ ତୀର୍ଥଯାତ୍ରୀ ଥିଲେ ।
ସୂଚନା ମୁତାବକ, ଶିଖ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ଲାହୋରଠାରୁ 60 କିଲୋମିଟର ଦୂରରେ ଥିବା ଫାରୁକାବାଦ ଠାରେ ଜଗୁଆଳୀବିହୀନ ରେଲୱେ ଫାଟକକୁ ଅତିକ୍ରମ କରୁଥିଲା । ଏହି ସମୟରେ କରାଚିରୁ ଲାହୋର ଅଭିମୁଖେ ଯାଉଥିବା ଶାହା ହୁସେନ ଏକ୍ସପ୍ରେସ ବସକୁ ଧକ୍କା ଦେଇଥିଲା। ତୀର୍ଥଯାତ୍ରୀମାନେ ପେଶୱାରରୁ ଯାତ୍ରା କରୁଥିଲେ।