ୱାସିଂଟନ: ନିର୍ବାଚନୀ ରାଲିରେ ପୂନର୍ବାର ଚୀନକୁ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଚୀନ ମହାମାରୀ କୋରୋନା ଭାଇରସକୁ ନେଇ ଯାହା କରିଛି ତାକୁ ଆମେରିକା କେବେ ଭୁଲିପାରିବ ନାହିଁ ।
ଟ୍ରମ୍ପ କହିଛନ୍ତି ଯେ ଚୀନ ଆମେରିକାର ଅର୍ଥନୀତିକୁ ସଂପୂର୍ଣ୍ଣ ଧ୍ବଂସ କରିଦେଇଛି । ଟ୍ରମ୍ପଙ୍କ କହିବାନୁସାରେ, ଆମେରିକା ଅର୍ଥନୈତିକ କ୍ଷେତ୍ରରେ ଆଗକୁ ବଢୁଥିବା ବେଳେ, କିନ୍ତୁ ଚୀନରୁ ଆସିଥିବା ଭୂତାଣୁ ଏହାକୁ ନିଜ କବଳକୁ ନେଇଗଲା ।
ଜାର୍ଜିଆରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି ଯେ ଆମର ଅର୍ଥନୀତି ଇତିହାସରେ ସର୍ବୋତ୍ତମ ହେଲେ ଚୀନ ଭାଇରସ ଏହାକୁ ଆକ୍ରମଣ କରିଛି। ଆମେ ଏହାକୁ କେବେବି ଭୁଲି ପାରିବୁ ନାହିଁ। ତାଙ୍କ ପ୍ରଶାସନ ଦୁଇ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି ବୋଲି ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି।
ଡିସେମ୍ବର 2019 ରେ ଚୀନର ୱୁହାନ ସହରରୁ କୋରୋନା ଭାଇରସର ଉତ୍ପତି ଘଟିଥିଲା । ଏଥିରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା 2,31,000 ଆମେରିକୀୟଙ୍କ ମୁଣ୍ଡ ନେଇସାରିଲାଣି । ଏହି ମହାମାରୀ ଦେଶର ଅର୍ଥନୀତିକୁ ମଧ୍ୟ ନଷ୍ଟ କରିଦେଇଛି, ଯେଉଁ କାରଣରୁ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି। ରବିବାର ତାଙ୍କର ପ୍ରତ୍ୟେକ ରାଲିରେ ଟ୍ରମ୍ପ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଚୀନ ଉପରେ ନରମ ଥିବାରୁ ଟ୍ରମ୍ପ ବିଡେନଙ୍କୁ ଦାୟୀ କରିଛନ୍ତି।