ୱାଶିଂଟନ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାକୁ ଦୋହୋଲାଇ ଦେଇଛି ମହମାରୀ କୋରୋନା । ନ୍ୟୁୟର୍କ ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହାର କାରଣ ଖୋଜୁଛି ଦେଶ । ତେବେ ଏକ ସତ୍ୟ ସାମାନକୁ ଆସିଛି ଯେ, ମେଟ୍ରୋ, ବସ ଓ କ୍ୟାବ ଭଳି ସେବା ପାଇଁ ନ୍ୟୁୟର୍କରେ କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏନେଇ ରାଜ୍ୟପାଳ ଏଣ୍ଟ୍ୟୁ କ୍ୟୁମୋ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, କୋରୋନା ଭାଇରସ 3 ଘଣ୍ଟା ପର୍ଯ୍ୟନ୍ତ ପବନରେ ରହିପାରିବ । ମେଟ୍ରୋ, ବସ ଓ କ୍ୟାବ ସିଟରେ 3 ଦିନ ପର୍ଯ୍ୟନ୍ତ ଜୀବିତ ରହିବା ପାଇଁ ସକ୍ଷମ । ତେବେ ଏହି ଖବର ନ୍ୟୁୟର୍କବାସୀଙ୍କ ପାଇଁ ଏହା ଏକ ଚିନ୍ତାଜନକ ବିଷୟ । କାରଣ ଏବେ ବି ଏଠାରେ ଲୋକ ଏହିଥିଲେ ଯିବା ଆସିବା କରୁଛନ୍ତି ।
କ୍ୟୁମୋଙ୍କ କହିବାନୁଯାୟୀ ଭାରତ ଭଳି ଆମେରିକା କିନ୍ତୁ ଆଗରୁ ଲକଡାଉନ କରିନଥିଲା ସେଥିପାଇଁ ଆମେରିକାରେ ଏବେ ସ୍ଥିତି ସଙ୍ଗୀନ ହୋଇପଡିଛି । ସେଥିପାଇଁ ବାରମ୍ବାର ସାନିଟାଇଜ କରିବା ଦ୍ବାରା ହିଁ ସଂକ୍ରମଣ ବ୍ୟାପିବାରେୁ ରୋକାଯାଇପାରିବ । ନ୍ୟୁୟର୍କ ପ୍ରଶାସନ ଏବେ ପରିସ୍କାର ପରିଚ୍ଛନତା ଓ ଡିସଇନଫେକ୍ଟିଂ ପ୍ରୋଟୋକଲରେ କାର୍ଯ୍ୟ କରୁଛି । ତେବେ ଏବେ ସୁଦ୍ଧା ନ୍ୟୁୟର୍କ ପରିବହନ ବିଭାଗରେ 84 ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇସାରିଲାଣି । 3500 ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । 3368 ଜଣଙ୍କୁ ହୋମ କ୍ବାରେଣ୍ଟିନରେ ରହିବା ପାଇଁନିର୍ଦ୍ଦେଶ ଦିଆଯାଇଛି । ତେବେ ଏନେଇ ମେଟ୍ରୋ ଓ ବସ ଆଦିରେ ଦିନକୁ 2 ଥର ସାନିଟାଇଜ କରାଯାଉଛି । ପ୍ରତି 72 ଘଣ୍ଟାରେ କର୍ମଚାରୀଙ୍କୁ ମଧ୍ୟ ବଦଳାଇଦିଆଯାଉଛି ।
ଅନ୍ୟପକ୍ଷରେ ଆମେରିକାର ଜର୍ଜିଆ, ଓକ୍ଲୋମା, ଆଲାସ୍କା ରାଜ୍ୟଗୁଡ଼ିକରେ ଲକଡାଉନକୁ କୋହଳ କରାଯାଇଛି । ଫଳରେ ଏଠାରେ ଅନେକ ଦୋକାନ ବଜାର ଖୋଲିଛି । ତେବେ ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟ ସରକାରଙ୍କୁ ଏହି ତାଲାବନ୍ଦକୁ ଏତେଶୀଘ୍ର କୋହଳ ନକରିବାକୁ କହିଛନ୍ତି । ନ୍ୟୁୟର୍କରେ ଏବେ ସୁଦ୍ଧା 3 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି ।