ୱାସିଂଟନ: କୋରୋନା କାୟାରେ ବିଶ୍ବବାସୀ ଦରମରା ହୋଇଗଲେଣି। ଦିନ ବଢିବା ସହ ବିଭିନ୍ନ ଦେଶକୁ ଏହି ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଦୀର୍ଘ ଏକ ମାସ ଧରି ଭାରତରେ ଲକଡାଉନ ଥିବା ସତ୍ତ୍ବେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ରୋକ ଲାଗୁନି।
କିନ୍ତୁ ଏହି ଅଦୃଶ୍ୟ ମହାମାରୀର ମାଡରେ ଘାଇଲା ହୋଇଛି ଆମେରିକା। ପ୍ରତ୍ୟେକ ଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିବା ବେଳେ ଦେଶର ଲକ୍ଷଲକ୍ଷ ଲୋକ ଏବେ ଆକ୍ରାନ୍ତ ଅବସ୍ଥାରେ ଅଛନ୍ତି। ଏହି ଶକ୍ତିଶାଳୀ ରାଷ୍ଟ୍ରର ଅର୍ଥନୈତିକ ଠାରୁ ଆରମ୍ଭ କରି ରାଜନୈତିକ ପୃଷ୍ଠଭୂମି ମଧ୍ୟ ଦୋହଲିଗଲାଣି। ତେବେ ଏତେ ସବୁ ଭିତରେ ଭାଇରସ କବଳରୁ ମୁକୁଳିବା ପାଇଁ ସଙ୍ଘର୍ଷ ଜାରି ରଖିଛି ଦେଶ।
ତାହା ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କହିଛନ୍ତି, ମୋର ବିଶ୍ୱାସ ଯେ, ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଭାଇରସ ଟୀକାର ପ୍ରସ୍ତୁତ ହୋଇଯିବ । ଯାହାକୁ ସେଠାକାର ଜନସାଧାରଣଙ୍କୁ ବଞ୍ଚିବାର ଆଶା ଦେଇଥିବା ବେଳେ ବିଶ୍ବବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି।
ରାଷ୍ଟ୍ରପତିଙ୍କ କହିବା ଅନୁସାରେ, ''ଚଳିତ ବର୍ଷ ଶେଷ ସୁଦ୍ଧା ଆମେ ଟୀକା ବାହାର କରିପାରିବୁ । ଏଥିପାଇଁ ଆମେରିକାର ବୈଜ୍ଞାନିକ ମାନେ ଗବେଷଣା ଆରମ୍ଭ କରିଛନ୍ତି ବୋଲି ୱାଶିଂଟନସ୍ଥିତ ଲିଙ୍କର ସ୍ମୁତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି।'' ଆମରିକାରେ ମୃତ୍ୟୁର ତାଣ୍ଡବ ରଚିଥିବା କୋରୋନା ଭାଇରସରେ ଗତ 24 ଘଣ୍ଟାରେ 1450 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛି ।
ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 68 ହଜାର ଟପିଛି । ଏହାଛଡା ବର୍ତ୍ତମାନ ଆମେରିକାରେ 1 କୋଟିରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ରହିଛନ୍ତି । ମୋଟ ଆକ୍ରାନ୍ତ ମଧ୍ୟରୁ 9 ଲକ୍ଷରୁ ଉର୍ଦ୍ଧ୍ବ ସକ୍ରିୟ ମାମଲା ରହିଛି ।