ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ହମଲା ପରେ ସମଗ୍ର ଦେଶରେ ପ୍ରତିଶୋଧର ନିଆଁ । ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ସବୁଠି ଉଠିଛି ଦାବି। ବିଭିନ୍ନ ଦେଶ ମଧ୍ୟ ଏହି ଘଟଣା ପରେ ଭାରତ ସପକ୍ଷରେ ଛିଡା ହେବାକୁ ମତ ପୋଷଣ କରିଛନ୍ତି। ଆତଙ୍କବାଦଦମନ କ୍ଷେତ୍ରରେ ଭାରତ ସହ ଅନେକ ରାଷ୍ଟ୍ର ରହିଥିବା ଜଣାଇଛନ୍ତି। ଏ ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି।
'ଜୈସ-ଏ-ମହମ୍ମଦ' ଦ୍ୱାରା ପୁଲୱାମା ଆକ୍ରମଣକୁ 'ଭୟାନକ'ବୋଲି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଏହି ଘଟଣାରେ ଆମକୁ ରିପୋର୍ଟ ମିଳିଛି। ଆତଙ୍କବାଦୀ ପ୍ରସଙ୍ଗରେ ଉଭୟ ଦେଶ ଏକାଠିହେବା ଉଚିତ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ଏହି ହମଲା ପରେ ଭୟଙ୍କର ସ୍ଥିତି ଉପୁଜିଛି। ଆମକୁ ଏନେଇ ବହୁ ରିପୋର୍ଟ ମିଳିଛି । ଉଚିତ ସମୟ ଆସିଲେ ଏହା ଉପରେ ମନ୍ତବ୍ୟ ଦିଆଯିବ।
କହି ରଖୁଛୁ, ପୁଲୱାମା ହମଲାକୁ ନେଇ ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ୍ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ କଥା ହୋଇଥିଲେ। ଭାରତକୁ ସମର୍ଥନ ଜଣାଇବା ସହ ସେ କହିଥିଲେ ଆତଙ୍କବାଦୀ ବିରୋଧୀ ଲଢେଇରେ ଆମେରିକା ଭାରତ ସହ ରହିଛି ଏବଂ ରହିବ।